ଓଡ଼ିଶାକୁ ଗର୍ବିତ କଲେ ମାଲକାନଗିରିର ଆଦିବାସୀ ଦମ୍ପତି ! ଆର୍ଥିକ ବର୍ଷ ଆରମ୍ଭ ନ ହେଉଣୁ ନିର୍ମାଣ କଲେ ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ଆବାସ ଗୃହ

206

କନକ ବ୍ୟୁରୋ : ୨୦୧୮-୧୯ ଆର୍ଥିକ ବର୍ଷ ଆରମ୍ଭ ନ ହେଉଣୁ ମାଲକାନଗିରିରେ ନିର୍ମାଣ ହୋଇସାରିଛି ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ଆବାସ ଗୃହ । ଆଉ ଏହାକୁ ନିର୍ମାଣ କରିଛନ୍ତି କୋରୁକୋଣ୍ଡା ବ୍ଲକ କରସ୍ତାଗୁଡା ଗାଁର ଗଙ୍ଗା କବାସୀ । ମାତ୍ର ୪୦ ଦିନ ମଧ୍ୟରେ ଘର ନିର୍ମାଣ କରି ସେ, ଜିଲ୍ଲା ପ୍ରଶାସନଠାରୁ ପୁରସ୍କୃତ ହୋଇଛନ୍ତି । ପୂର୍ବରୁ ଚାଳ ଛପର ଘରରେ ମୁଣ୍ଡ ଗୁଂଜିଥିଲେ ଗଙ୍ଗାଙ୍କ ପରିବାର । ଫେବୃଆରି ୧୩ ତାରିଖରେ ମାଲକାନନଗିରି ଜିଲ୍ଲାରେ ୫ ହଜାର ୩ଶହ ୮୫ଟି ଘର ନିର୍ମାଣ ପାଇଁ ମଂଜୁରୀ ମିଳିଥିଲା । ଏହି ଆଧାରରେ ଫବୃଆରୀ ୧୪ ତାରିଖରେ ଗଙ୍ଗାଙ୍କୁ କାର୍ଯ୍ୟାଦେଶ ମିଳିଥିଲା ।

ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ଖଣ୍ଡେ ପାଇଁ କାର୍ଯ୍ୟାଦେଶ ମିଳିବା ପରେ ସୁନ୍ଦର ଘରଟି ଠିଆ କରିଛନ୍ତି ଆଦିବାସୀ ଦମ୍ପତି । ଘରକୁ ଆକର୍ଷଣୀୟ କରିବା ପାଇଁ ଏହାର ଚାରିପଟେ ସୁନ୍ଦର ବଗିଚା ଓ ବାଉଁଶ ବାଡ ଦେଇଛନ୍ତି ଗଙ୍ଗା । ୨୦୧୬ -୧୭ ଆର୍ଥିକ ବର୍ଷରେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ମାଲକାନଗିରି ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରି ଥିବା ବେଳେ ୧୭-୧୮ ବର୍ଷରେ ୨୦ ପ୍ରତିଶତ କାମ ଶେଷ ହୋଇଛି । ତେବେ ୧୮-୧୯ ବର୍ଷରେ ରାଜ୍ୟ ତଥା ଦେଶରେ ପ୍ରଥମ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।