ସାଙ୍ଗ ବନିଗଲା ସଇତାନ । ହତ୍ୟାକାଣ୍ଡ ପରେ କାର୍ଟୁନରେ ଭର୍ତି କରି ଫିଙ୍ଗିଦେଲା ମୃତଦେହ, ମାତ୍ର ୧୦ହଜାର ଟଙ୍କା ପାଇଁ ଭିଆଇଲା ବିଭତ୍ସ କାଣ୍ଡ ।

423

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ହତ୍ୟାକାଣ୍ଡ ଘଟିଛି, ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ମାତ୍ର ୧୦ ହଜାର ଟଙ୍କା ପାଇଁ ସାଙ୍ଗ ମାରିଦେଇଛି ସାଙ୍ଗକୁ । ଏହି ବିଭତ୍ସ ହତ୍ୟାକାଣ୍ଡ ପରେ ପୋଲିସର ତଦନ୍ତକୁ ଏଡାଇବା ପାଇଁ କାର୍ଟୁନ ଭିତରେ ମୃତଦେହକୁ ଭର୍ତି କରି ଫିଙ୍ଗିଦେଇଛି ଅଭିଯୁକ୍ତ । ସାଇଂଟିଫିକ୍ ଟିମ୍ ଓ ସଂଧାନୀ କୁକୁର ସହାୟତାରେ ଘଟଣାର ଛାନଭିନ୍ ପରେ କମିସନରେଟ୍ ପୋଲିସ, ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରିବା ପରେ ହତ୍ୟାକାଣ୍ଡର କାରଣ ଖୋଜା ଚାଲିଛି ।

ସାଙ୍ଗ ବନିଲା ସଇତାନ । ୧୦ ହଜାର ଟଙ୍କା ପାଇଁ ବନ୍ଧୁ ହେଲା ବଇରୀ । ରାଜଧାନୀରେ ଏପରି ଏକ ହତ୍ୟାକାଣ୍ଡକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ନୟାପଲ୍ଲୀ ରେଂଟାଲ କଲୋନୀରୁ ମୃତଦେହ ମିଳିବା ପରେ ସାମ୍ନାକୁ ଆସିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ମୃତଦେହକୁ ବାଲିବସ୍ତାରେ ବନ୍ଧା ଯାଇଛି । ମୁଣ୍ଡକୁ ବନ୍ଧା ଯାଇଛି ଜରିଅଖାରେ । ସମ୍ଭବତଃ ନିକଟରେ ଦୋକାନ ଛାତ ଉପରୁ ଫିଙ୍ଗି ଦିଆଯାଇଛି ବଣ ଭିତରକୁ । ସେପଟେ ଦୋକାନ ଘର ପାହାଚ ସାରା ଲାଗିଛି ରକ୍ତର ଛିଟା । ବଣ ଭିତରେ ଯେପରି ମୃତଦେହଟି କାହା ନଜରକୁ ନଆସେ ସେଥିପାଇଁ କାର୍ଟୁନ ସାହାଯ୍ୟରେ ମୃତଦେହକୁ ଚାରିଆଡୁ ବନ୍ଧା ଯାଇଛି । ବେକ ପାଖରେ ଗାମୁଛା ଓ ଅଂଟାରୁ ବେଲ୍ଟ ସାହାଯ୍ୟରେ ବନ୍ଧା ହୋଇଛି । ଛୁରି ଭୁଷି ହତ୍ୟା କରିବା ପରେ ଏହିପରି ଅବସ୍ଥାରେ ମୃତଦେହକୁ ଫିଙ୍ଗି ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି ।

ତନାଘନା ପରେ ପୋଲିସ ଜାଣିବାକୁ ପାଇଛି ମୃତକ ଜଣଙ୍କ ହେଉଛନ୍ତି କଂଟିଲୋ ଅଂଚଳର ଦିଲ୍ଲୀପ ସାହୁ । ଦିଲ୍ଲୀପ ୨ଦିନ ତଳେ ରେଂଟାଲ କଲୋନି ମାର୍କେଟରେ ଥିବା ଏକ ଅଟାକଳକୁ କାମ କରିବା ପାଇଁ ଆସିଥିଲେ । ସେହି ସ୍ଥାନରେ ପୂର୍ବରୁ କାମ କରୁଥିବା ପ୍ରକାଶ ଜେନା ସହିତ ଗତକାଲି ରାତିରେ କିଛି ଟଙ୍କା କାରବାରକୁ ନେଇ ଦୁଇ ସାଙ୍ଗ ମଧ୍ୟରେ ବଚସା ହୋଇଥିଲା । ସନ୍ଦେହ କରାଯାଉଛି, ଏହା ପରେ ଉତ୍ୟକ୍ତ ହୋଇ ଦିଲ୍ଲୀପଙ୍କୁ ଛୁରି ଭୁଷି ମାରିଦେଇଛି ପ୍ରକାଶ । ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ତେବେ ପ୍ରଶ୍ନ ଉଠୁଛି, କାହିଁକି ଦିଲ୍ଲୀପଙ୍କୁ ହତ୍ୟା କଲା ପ୍ରକାଶ? ପୂର୍ବ ଶତ୍ରୁତା ନା’ ମାତ୍ର ୧୦ହଜାର ଟଙ୍କା ପାଇଁ ଘଟିଛି ହତ୍ୟାକାଣ୍ଡ? ଫେରାର ପ୍ରକାଶ ଜେନାକୁ ଗିରଫ କରି ଏସବୁ ପ୍ରଶ୍ନର ଉତର ଖୋଜୁଛି କମିଶନରେଟ ପୋଲିସ ।