ମମିତା ମେହେରଙ୍କୁ ନ୍ୟାୟ ଦାବି : ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

78

କନକ ବ୍ୟୁରୋ : ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି । ଆଜି ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ କରାଯାଉଛି । ସକାଳ ୬ ଟାରୁ ଅପରାହ୍ଣ ୨ ଟା ଯାଏଁ ୮ ଘଣ୍ଟିଆ ଝାରସୁଗୁଡା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ।

ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରୁ ନାହାନ୍ତି । ମମିତା ମେହେର ହତ୍ୟାକାଣ୍ଡକୁ ଚାପିବା ଉଦ୍ୟମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।

ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ ସହ ନାରାବାଜି କରୁଥିବାର ପରିଲକ୍ଷିତ ହୋଇଛି । କେତେକ ସ୍ଥାନରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଆଜି ଝାରସୁଗୁଡ଼ା ଜିଲ୍ଲାର ଅଧିକାଂଶ ଦୋକାନବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ଜଣାଯାଇଛି । ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକୀୟ ସେବା, ଦୁଇ ଚକିଆ ଯାନ ଓ ପରୀକ୍ଷାର୍ଥୀଙ୍କୁ ବାଦ ଦିଆଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବନ୍ଦର ପ୍ରଭାବରେ ସାଧାରଣଜନଜୀବନ ପ୍ରଭାବିତ ହୋଇଛି ।

ବିଜେପିର ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କ ସମେତ କେତେକ ନେତାଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଉଛି । ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଓ ବ୍ରଜରାଜନଗରରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।