ମମିତା ମେହେର ମୃତ୍ୟୁ ମାମଲା : ଫେରାର ପରେ କେମିତି ଲୁଚିଥିଲେ ଗୋବିନ୍ଦ, କିଏ କରିଥିଲା ସାହାଯ୍ୟ ?

228

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ମାମଲାରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଗିରଫ ହୋଇଥିବା ଗୋବିନ୍ଦ ସାହୁ କେଉଁଠି ଥିଲେ, କେମିତି ଲୁଚିଥିଲେ । ଯାହାକୁ ନେଇ ପ୍ରଶ୍ନବାଚୀ ଲାଗିରହିଥିଲା, ତା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ବୁଢିପଦରରେ ଥିବା ସାନଭଉଣୀ ଘର ପଛପଟ ଆଖୁକିଆରିରେ ଗୋବିନ୍ଦ ସାହୁ ଲୁଚିଥିଲେ । ଆଖୁକିଆରି ଭିତରେ ଗୋବିନ୍ଦଙ୍କୁ ଖାଇବା ପିଇବା ପାଇଁ ଦିଆଯାଉଥିଲା । ଘର ଭିତରେ ରହିବାକୁ ସାନ ଭଉଣୀ ଘରଲୋକ ମନା କରିଦେଇଥିଲେ । ପୋଲିସର ଏକ ଟିମ୍ ବୁଢିପଦର ସାନଭଉଣୀ ଘର ଉପରେ ନଜର ରଖିଥିଲା । ତେବେ ଗତକାଲି ପୋଲିସ ହାତରେ ଧରାପଡିବା ପରେ ପ୍ରଥମେ କିଛି କହିବାକୁ ମନାକରିଦେଇଥିଲା ଗୋବିନ୍ଦ ସାହୁ । ପରେ ପୋଲିସ ସାମ୍ନାରେ ସବୁ କଥା ମାନିନେଇଥିଲା ।

ତେବେ ଗୋବିନ୍ଦ ସାହୁ ସବୁ ସମୟରେ ପାୱାର କରିଡରରେ ଥିବା ବ୍ୟକ୍ତିଙ୍କ ସହ ମିଳାମିଶା କରୁଥିଲେ । ମନ୍ତ୍ରୀରୁ ନେଇ ଅଫିସର ସମସ୍ତଙ୍କ ସହ ଥିଲା ଯିବାଆସିବା । କଲେଜ ଓ ସ୍କୁଲ କାର୍ଯ୍ୟକ୍ରଗୁଡ଼ିକରେ ମନ୍ତ୍ରୀମାନଙ୍କୁ ମନ କଲେ ଡାକୁଥିଲେ। ମନ୍ତ୍ରୀମାନେ ବି ଘଣ୍ଟା ଘଣ୍ଟା ସମୟ ଦେଉଥିଲେ । ଏପରିକି ମନ୍ତ୍ରୀମାନେ ହେଲିକପ୍ଟରରେ ଯାଇ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ । ସ୍କୁଲ କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କ ବକ୍ତବ୍ୟ ବି ବେଶ୍‌ ଦମଦାର ରହୁଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବେଶ୍‌ ଘନିଷ୍ଠତା ଥିଲା । ପୂର୍ବର କିଛି ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ସ୍କୁଲ ମାଲିକଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି ।

ଆଉ ଏକ ଭିଡିଓରେ ହେଲିକପ୍ଟରରେ ଗସ୍ତ କରିଥିଲେ ରାଜ୍ୟର ପାୱାରଫୁଲ ମନ୍ତ୍ରୀ ପ୍ରତାପ ଜେନା । ତାଙ୍କ ଅଭିଭାଷଣରେ ସେ କହିଥିଲେ, ମହାଲିଙ୍ଗ କଲେଜକୁ ଆସିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରବାର ଅନୁରୋଧ କରିଥିଲେ ଓ ସେ ଆସିଥିବା କହିଥିଲେ। ଏପରିକି ମନ୍ତ୍ରୀ ପ୍ରତାପ ଜେନା ମହାଲିଙ୍ଗ ଘରୋଇ ପ୍ରତିଷ୍ଠାନକୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରେଭେନ୍ସା ସହ ତୁଳନା କରିଥିଲେ । ମୁଖ୍ୟତଃ ସ୍କୁଲ୍‌ ମାଲିକ ଗୋବିନ୍ଦଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବେଶ୍‌ ଘନିଷ୍ଠତା ରହିଥିଲା । ଏହାସହ ସେ ଆଉ ବଡ଼ବଡ଼ିଆ ଲୋକଙ୍କ ସହ ବି ସଂପର୍କରେ ଥିଲେ। କଳାହାଣ୍ଡିରେ ଯେଉଁ ଜନପ୍ରତିନିଧି ପାୱାର କରିଡରରେ ରହିଲେ ସେ ତାଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ ।