ତୈଳଦର ବୃଦ୍ଧି ନେଇ ମମତାଙ୍କ ଅଭିନବ ପ୍ରତିବାଦ । ବେକରେ ଦରବୃଦ୍ଧି ପ୍ରତିବାଦର ପୋଷ୍ଟର ଲଗାଇ ସ୍କୁଟରରେ କଲେ ରାଲି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ।

165

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନକୁ ମାତ୍ର କିଛିମାସ ବାକି ଥିବା ବେଳେ ପଶ୍ଚିମବଙ୍ଗରେ ପୁରା ନିର୍ବାଚନୀ ତାତି । କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଓ ପଶ୍ଚିମବଙ୍ଗକୁ ଫୋକସ କରୁଥିବା ବିଜେପି ମଧ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ମମତାଙ୍କ ବିଭିନ୍ନ ପ୍ରସଙ୍ଗରେ ବିଜେପି ଘେରୁଥିବା ବେଳେ ତୈଳବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କ ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି ମମତା ବାନାର୍ଜୀ ।
ଦେଶରେ ତୈଳଦର ଆକାଶଛୁଆଁ ହୋଇଛି । ଦେଶର ବିଭିନ୍ନ ସହରେ ପେଟ୍ରୋଲର ଦାମ ଲିଟର ପିଛା ୧୦୦ ଟଙ୍କା ପାର କରିଥିବା ବେଳେ ଡିଜେଲ ବି ସେଞ୍ଚୁରୀ ମାରିବା ଲକ୍ଷ୍ୟରେ ଲିଟର ପିଛା ୯୦ ଟଙ୍କା ଉପରେ ରହିଛି । ଏହାରି ମଧ୍ୟରେ ବିରୋଧୀଦଳ ମାନେ କେନ୍ଦ୍ରସରକାରଙ୍କୁ ଘେରିବାକୁ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ଓ ରାଲି ଜାରି ରଖିଛନ୍ତି । ହେଲେ ଗୁରୁବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ତୈଳଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିବାକୁ ଯାଇ ଇଲେକ୍ଟ୍ରି ସ୍କୁଟର ପଛପଟେ ବସି ରାସ୍ତାରେ ଯାଉଥିବାର ଦେଖିବାକୁ ମିଳିଛି । ସେ ସ୍କୁଟର ପଛପଟେ ବସିବା ସହ ଗଳାରେ ତୈଳଦର ବୃଦ୍ଧି ବିରୋଧରେ ଲେଖାଥିବା ଏକ ପୋଷ୍ଟର ଲଗାଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।
ମମତା ସ୍କୁଟରର ପଛପଟେ ବସିଥିବା ବେଳେ ସ୍କୁଟର ଚଳାଉଛନ୍ତି ଟିଏମସି ନେତା ଫିରହାଦ୍ ହାକିମ୍ । ମମତା ଏହି ଢଙ୍ଗରେ ବି ଏକ ରାଲି କରିଛନ୍ତି । ଏହି ରାଲି ହରିସ୍ ଚାଟାର୍ଜୀ ଷ୍ଟ୍ରିଟରୁ ରାଜ୍ୟ ସଚିବାଳୟ ନବନ୍ନା ପର୍ଯ୍ୟନ୍ତ ଯାଇଥିଲା ।