ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା । ଶୁଭେନ୍ଦୁ ଅଧିକାରୀଙ୍କ ସହ ହେବ ମୁହାଁମୁହିଁ ଟକ୍କର । ନଜର ପକାନ୍ତୁ, ଟିଏମସି ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ସିଟ୍…

344

କନକ ବ୍ୟୁରୋ: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ହେବ ସବୁଠାରୁ ବଡ ଲଢେଇ ।  ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା  ଶୁଭେନ୍ଦୁ ଅଧିକାରୀଙ୍କ ଗଡରୁ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ଏଥର ଭବାନୀପୁର ବଦଳରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା । ଆସନ୍ତା ୧୦ ତାରିଖରେ ସେ ଏହି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାସହ ମମତା ତାଙ୍କର ପାରମ୍ପରିକ ଆସନ ଭବାନୀପୁରରୁ ନିର୍ବାଚନ ଲଢିବେ ନାହିଁ । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ  ୨୯୧ ପ୍ରାର୍ଥୀଙ୍କ ତାଲିକା ଜାରି କରି ଏହି ଘୋଷଣା କରିଛି ତୃଣମୂଳ କଂଗ୍ରେସ ।

ଅର୍ଥାତ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏଥର ମମତା ବାନାର୍ଜୀଙ୍କ ମୁହାଁମୁହିଁ ଲଢେଇ ହେବ ।  ନନ୍ଦିଗ୍ରାମରୁ ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀ ବିଧାୟକ ଅଛନ୍ତି ।  ତେଣୁ ଏଠାରେ ମମତା-ଶୁଭେନ୍ଦୁଙ୍କ ମୁହାଁମୁହିଁ ଟକ୍କର  ହେବା ସ୍ପଷ୍ଟ ହୋଇସାରିଛି । ପଶ୍ଚିମବଙ୍ଗରେ ଲଗାତାର ତୃତୀୟ ଥର ଲାଗି କ୍ଷମତାସୀନ ହେବାକୁ  ଲକ୍ଷ୍ୟ ରଖିଥିବା ମମତା ବାନାର୍ଜୀ ଏଥର ନିଜ ରାଜନୈତିକ କ୍ୟାରିୟର ସବୁଠାରୁ  ବଡ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି । ବିଜେପି  ମମତାଙ୍କ ତୃଣମୂଳ କଂଗ୍ରେସକୁ କଡା ଟକ୍କର ଦେଉଛି । ମମତା ବାନାର୍ଜୀଙ୍କ ସରକାରରେ ନମ୍ବର-୨ ଥିବା ମନ୍ତ୍ରୀ  ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନେକ ମନ୍ତ୍ରୀ ଓ ଟିଏମସି ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହୋଇସାରିଛନ୍ତି । ପଶ୍ଚିମବଙ୍ଗ ବିଧାନସଭାର ନିର୍ବାଚନ ଫଳାଫଳ ମେ ୨ରେ ଘୋଷଣା ହେବ ।

ତେବେ ନନ୍ଦିଗ୍ରାମ ବିଧାନସଭା ଆସନ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ । ତା ଉପରେ ନଜର ପକାନ୍ତୁ… 

  • ନନ୍ଦିଗ୍ରାମ ତୃଣମୂଳ କଂଗ୍ରେସର ଗଡ ଥିଲା
  • ଶୁଭେନ୍ଦୁ ଅଧିକାରୀଙ୍କ କିନ୍ତୁ ନନ୍ଦିଗ୍ରାମରେ ଭଲ ପ୍ରଭାବ ରହିଛି
  • ଶୁଭେନ୍ଦୁ ବିଜେପିକୁ ଯିବାପରେ ତୃଣମୂଳ କଂଗ୍ରେସର ଭୋଟ ବ୍ୟାଙ୍କ ପ୍ରଭାବିତ ହେବା ଆଶଙ୍କା
  •  ତେଣୁ ନନ୍ଦିଗ୍ରାମରେ ମମତା ଲଢିଲେ ତୃଣମୂଳକୁ ଅଧିକ ଭୋଟ ଯିବ ବୋଲି ଆକଳନ କରାଯାଉଛି
  •  ନନ୍ଦିଗ୍ରାମରେ ୩୦ ପ୍ରତିଶତ ସଂଖ୍ୟାଲଘୁ ଭୋଟ ରହିଛି
  • ଏଥିସହ ଶୁଭେନ୍ଦୁ ନନ୍ଦିଗ୍ରାମରୁ ବିଜେପିକୁ ୩୫ ଆସନ ଦେବେ ବୋଲି ଦାବି କରୁଛନ୍ତି
  • ଶୁଭେନ୍ଦୁଙ୍କୁ ଟକ୍କର ଦେବାକୁ ମମତା ନନ୍ଦିଗ୍ରାମରୁ ଲଢିବା ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି