ନବୀନ ନିବାସରେ ମମତା ! ଧର୍ମନିରପେକ୍ଷ ଦଳଙ୍କୁ ଏକାଠି ହେବାକୁ ଦେଲେ ଆହ୍ୱାନ

27

କନକ ବ୍ୟୁରୋ : ନବୀନ ନିବାସରେ ମମତା । ବହୁ ରାଜନୈତିକ ଚର୍ଚା ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାଖାପାଖି ୧୦ ମିନିଟର ସାକ୍ଷାତ ଆଲୋଚନା । ରାଜନୈତିକ ଦୃଶ୍ୟପଟରେ ବେଶ ଗୁରୁତ୍ୱ ବହନ କରୁଥିବା ଏହି ବୈଠକ ପରେ କିନ୍ତୁ ଉଭୟେ ମାପିଚୁପି ବୟାନ ରଖିଛନ୍ତି । ସଫାସଫା କହିଛନ୍ତି, କୈାଣସି ରାଜନୈତିକ ଆଲୋଚନା ହୋଇନାହିଁ । ଏହା କେବଳ ଏକ ସୈାଜନ୍ୟମୂଳକ ସାକ୍ଷାତ ଥିଲା ।

ତେବେ ବଡ କଥା ହେଉଛି, ନିଜ ଚିରାଚରିତ ଢଙ୍ଗରେ ବିଜେପିକୁ ସମାଲୋଚନା କରିଛନ୍ତି ମମତା । ଅବିଶ୍ୱାସର ମଂଜି ବୁଣିବା ସହ କିଭଳି ଅନ୍ୟ ଦଳର ନେତାଙ୍କୁ ନେଇ ଭାଜପା ରାଜନୀତି କରୁଛି, ସେହି ତୀର ମାରିଛନ୍ତି ଦିଦି । ସେହିଭଳି, ଧର୍ମନିରପେକ୍ଷ ଦଳଙ୍କୁ ଏକାଠି ହେବାକୁ ଦେଇଛନ୍ତି ଆହ୍ୱାନ ।

କୁହାଯାଉଛି ଦୁଇ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଏହି କଥାବାର୍ତାର ଗୋଟିଏ ବଡ ପ୍ରଭାବ ରହିଛି । ବିଜେପିର ବିଜୟ ରଥ ରୋକିବାକୁ ଉଭୟ ନେତାଙ୍କ ମଧ୍ୟରେ ସମୀକରଣ ହେଉଥିବା ଅନୁମାନ କରାଯାଉଛି । ଆଗକୁ ରାଷ୍ଟ୍ରପତି ନିର୍ବାଚନ । ଆଂଚଳିକ ଦଳର ଗୁରୁତ୍ୱ ଆବଶ୍ୟକ କରିବ ବିଜେପି । ପୂର୍ବରୁ ପି. ଏ. ସାଙ୍ଗମାଙ୍କୁ ନବୀନ ପ୍ରର୍ଥୀ କରିଥିଲେ ଆଉ ମମତା ସାଥ୍ ଦେଇଥିଲେ । ସେହିଭଳି ଉଭୟ ଦଳର ନେତାଙ୍କ ପ୍ରମୁଖ ଶତ୍ରୁ ହେଉଛି ବିଜେପି । ତେଣୁ ଏକାଠି ଆସି ବିଜେପିକୁ ଚେକ୍ ଦେବାକୁ ମନ୍ତ୍ରଣା ହୋଇଥିବା ଅନୁମାନ କରାଯାଉଛି ।

ପୂର୍ବରୁ ନୀତିଶ ଓ ନବୀନଙ୍କ ମଧ୍ୟରେ ହୋଇଥିଲା ରୁଦ୍ଧଦ୍ୱାର ବୈଠକ । ମୂଳ ଜନତା ଦଳର ଏକତ୍ରିକରଣ ଉପରେ ସେତେବେଳେ ଆଲୋଚନା ହୋଇଥିବାର ଚର୍ଚ୍ଚା ହେଲା । ଆଉ ଏବେ ନବୀନ ମମତାଙ୍କ ମଧ୍ୟରେ ଦୁଇ ଦୁଇ ଥର ଆଲୋଚନା । ଥରେ ଦିଲ୍ଲୀରେ ଆଉ ଥରେ ଭୁବନେଶ୍ୱରରେ । ସୂଚନା ଅନୁସାରେ, ଜାତୀୟ ସ୍ତରରେ ମହାମେଂଟ ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଯଦିଓ ଏନେଇ ଉଭୟେ ସ୍ପଷ୍ଟ ମତ ରଖିବାକୁ ନାରାଜ । ଗୋଟିଏ ପଟେ ଚିଟଫଣ୍ଡ ଦୁର୍ନୀତିରେ ଉଭୟ ଦଳର ନେତା ଫଶିଛନ୍ତି ଆଉ ଅନ୍ୟପଟେ ଓଡିଶା ଆଉ ପଶ୍ଚିିମବଙ୍ଗରେ ବିଜେପି ତାର କଳେବର ବୃଦ୍ଧି କରିବାକୁ ଯୋଜନା କରୁଛି । ଆଗାମୀ ଦିନରେ ଏହି ଆଲୋଚନା କେଉଁ ରୂପ ନେବ ତା ଉପରେ ନଜର ।