ସୁଦୂର ଅଷ୍ଟ୍ରେଲିଆରୁ ମମତା ଖୋଜୁଛନ୍ତି ମା’ଙ୍କ ଠିକଣା: ମାତ୍ର ୩ ବର୍ଷ ବୟସରେ ପୁରୀ ବଡ଼ଦାଣ୍ଡରୁ ହୋଇଥିଲେ ଉଦ୍ଧାର

1,415

କନକ ବ୍ୟୁରୋ: ମା’କୁ ଖୋଜୁଛି ଝିଅ । ଦିନେ ବଡ଼ଦାଣ୍ଡରେ ଭିକ୍ଷାବୃ୍ତି କରୁଥିଲେ ମା’ । ଏବେ ଅଷ୍ଟ୍ରେଲିଆରେ ଝିଅ । ପୋଷ୍ୟ ସନ୍ତାନ ଭାବେ ମାତ୍ର ୩ବର୍ଷ ବୟସରେ ଅଷ୍ଟ୍ରେଲିଆ ଚାଲିଯାଇଥିବା ମମତା, ଏବେ ମା’କୁ ଖୋଜୁଛନ୍ତି । ପୁରୀରୁ ଆସିଥିବା ଏହି କାହାଣୀ, କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ । ଅଷ୍ଟ୍ରେଲିଆର ନିଜ ପରିବାରଠାରୁ ତାଙ୍କ ଜନ୍ମକାହାଣୀ ଜାଣିବା ପରେ ପୁରୀକୁ ଚାଇଲ୍ଡ ଲାଇନକୁ ଲେଖିଛନ୍ତି କୋହ ଭରା ଚିଠି ।

ସମୟ ଚକ୍ର କେତେବେଳେ କାହାକୁ କେଉଁଠି ନେଇ ଛାଡ଼ି ଦେବ କେହି ଜାଣିନାହାଁନ୍ତି । ମାତ୍ର ୩ ବର୍ଷ ବୟସ ହୋଇଥିବା ବେଳେ ପୁରୀ ସିଂହଦ୍ୱାର ସାମ୍ନାରେ ଉଦ୍ଧାର ହୋଇଥିବା ମମତା ଏବେ ଅଷ୍ଟ୍ରେଲିଆରୁ ଲେଖିଛନ୍ତି ଚିଠି । ଶିଶୁ ଯତ୍ନ କେନ୍ଦ୍ରରୁ ପୋଷ୍ୟ ସନ୍ତାନ ହୋଇ ବିଦେଶ ଚାଲିଯାଇଥିବା ମମତାଙ୍କୁ ଏବେ ୧୮ ବର୍ଷ । ଅଷ୍ଟ୍ରେଲିଆ ପରିବାରଠାରୁ ନିଜ ଜନ୍ମ କାହାଣୀ ଜାଣିବା ପରେ ପୁରୀକୁ ଚାଇଲ୍ଡ ଲାଇନକୁ ଲେଖିଛନ୍ତି କୋହ ଭରା ଚିଠି । ଯେଉଁଥିରେ ସେ ଲେଖିଛନ୍ତି

ମୁଁ ମୋ ମା’କୁ ଖୋଜୁଛି । କିଏ ଯଦି ତାଙ୍କ ଠିକଣା ଜାଣିଛନ୍ତି ଦୟାକରି ମୋତେ ଜଣାନ୍ତୁ । ମୋ’ ମା’ କୁଷ୍ଠରୋଗର ପୀଡ଼ିତ ଥିଲେ । ତାଙ୍କର ଭାଇ, ଭଉଣୀ ସମ୍ପର୍କୀୟ କେହି ନାହାଁନ୍ତି । ପୁରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ସେ ରହୁଥିବା ମୁଁ ସନ୍ଦେହ କରୁଛି । ମା’ ଅତିଦୟନୀୟ ଅବସ୍ଥାରେ ଥାଇପାରନ୍ତି, ତାଙ୍କୁ ସହଯୋଗ ଦରକାର । ମୋତେ ଦୟକାରୀ ତାଙ୍କ ସମ୍ପର୍କରେ କିଛି ସୂଚନା ଦିଅନ୍ତୁ ।

ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଏବେ ସ୍ନାତକରେ ପାଠ ପଢ଼ୁଛନ୍ତି ମମତା । ମମତାଙ୍କ କାହାଣୀ କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ । ବଡ଼ଦାଣ୍ଡରୁ ଶିଶୁ ମମତାଙ୍କୁ ଉଦ୍ଧାର କରିିଥିଲା । ସେତେବେଳେ ତାଙ୍କ ମା’ ବାସନ୍ତୀ, ଖୋର୍ଦ୍ଧାରେ ରହୁଥିଲେ । ଝିଅକୁ ନେଇ ତାଙ୍କ ପାଖରେ ଛାଡ଼ିବାକୁ ପ୍ରଶାସନ ଉଦ୍ୟମ କରିଥିଲା । ହେଲେ ଦାରିଦ୍ର୍ୟତା ଓ ରୋଗ କାରଣରୁ ଝିଅକୁ ନେଇ ପୋଷି ପାରିବେ ନାହିଁ ବୋଲି କହିଥିଲେ । ପରେ ତାଙ୍କୁ କଟକ ବସୁନ୍ଧରା ଆଶ୍ରମରେ ଛାଡ଼ି ଦିଆଯାଇଥିଲା । ଆଉ ସେଇଠି ଅଷ୍ଟ୍ରେଲିଆ ଯିବାର ବାଟ ଫିଟିଥିଲା ।

ଚିିଠି ମିଳିବା ପରେ ମମତାଙ୍କ ମା’ ବାସନ୍ତୀଙ୍କୁ ଖୋଜୁଛି ପୁରୀ ଚାଇଲ୍ଡ ଲାଇନ୍ । ବାସନ୍ତୀଙ୍କ ସମ୍ପର୍କରେ ଖବର ମିଳିଲେ ଯୋଗାଯୋଗ କରିବା ପାଇଁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି ।