ପଶ୍ଚିମବଙ୍ଗରେ ବିଜେପିକୁ ଟକ୍କର ଦେବାକୁ ପ୍ରଚାର ମୈଦାନକୁ ହ୍ୱିଲ ଚେୟାରରେ ଓହ୍ଲାଇଲେ ମମତା । କୋଲକାତାରେ ୫ କିଲୋମିଟର ରୋଡ ଶୋ 

124

କନକ ବ୍ୟୁରୋ: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ପ୍ରଚାର ବେଳେ ଆହତ ତୃଣମୂଳ କଂଗ୍ରେସ ସୁପ୍ରିମୋ ଘଟଣାର ୪ ଦିନ ପରେ ପ୍ରଚାର କମାଣ ସମ୍ଭାଳିଛନ୍ତି । ହ୍ୱିଲ ଚେୟାରରେ ବସି ଶହ ଶହ ଦଳୀୟ କର୍ମୀଙ୍କ ସହ କୋଲକାତାରେ ରୋଡ କରିଛନ୍ତି ମମତା ବାନାର୍ଜୀ । ଦଳର ବରିଷ୍ଠ ନେତାଙ୍କ ସହ କୋଲକାତାର ମାୟାରୋଡରୁ ହାଜରା ମୋଡ ଯାଏଁ ପ୍ରାୟ ୫ କିମି ଲମ୍ବ ରୋଡ ସୋରେ ସାମିଲ ହୋଇଥିଲେ ଦିଦି । ହାଜରା ମୋଡରେ ସମାବେଶକୁ ସମ୍ବୋଧନ କରି ମମତା କହିଛନ୍ତି, ହ୍ୱିଲ ଚେୟାରରେ ଭଙ୍ଗା ଗୋଡ ସହ ପ୍ରଚାର କରିବି । ଏକ ଘାଇଲା ବାଘ ସବୁଠୁ ଭୟଙ୍କର ବୋଲି କହିଛନ୍ତି ଟିଏମସି ମୁଖିଆ ।

ରାଲି ପୂର୍ବରୁ ମମତା ଟୁଇଟ କରି ଲେଖିଥିଲେ, ଏବେ ବି ଭୀଷଣ କଷ୍ଟ ହେଉଛି, ମୋ କଷ୍ଟ ଅପେକ୍ଷା ଲୋକଙ୍କ କଷ୍ଟ ବେଶି ଅନୁଭବ କରିହେଉଛି । ଆମ ପବିତ୍ର ଭୁମିର ସୁରକ୍ଷା ପାଇଁ ବହୁତ କଷ୍ଟ ସହିଛେ, କାପୁରୁଷ ଠାରୁ କେବେ ନଇଁବୁ ନାହିଁ । ସେପଟେ ମମତାଙ୍କ ଆଘାତ ହେବା ଏକ ଦୁର୍ଘଟଣା ବୋଲି ସ୍ପଷ୍ଟ କରିିଛନ୍ତି ନିର୍ବାଚନ କମିସନ । ଅନ୍ୟପଟେ ମମତାଙ୍କ ରାଲିକୁ ନେଇ କଡା ପ୍ରତିକ୍ରିୟା ରଖିଛି ବିଜେପି ।  

ସେପଟେ ମମତାଙ୍କ ରାଲିକୁ କାଉଂଟର କରିବାକୁ ପଶ୍ଚିମବଙ୍ଗର ଖଡଗପୁରରେ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପ୍ରେମ ହରିଭବନରୁ ସମର୍ଥକ ଦଳୀୟ କର୍ମୀଙ୍କ ସହ ୫କିମି ଲମ୍ବର ରୋଡ ସୋ କରିଛନ୍ତି ବିଜେପି ଚାଣକ୍ୟ । ସେହିପରି ଆଜି ପଶ୍ଚିମବଙ୍ଗ ତୃତୀୟ ପର୍ଯ୍ୟାୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ସମେତ କିଛି ସାଂସଦଙ୍କୁ ବିଧାନସଭା ନିର୍ବାଚନ ମୈ÷ଦାନକୁ ଓହ୍ଲାଇଛି ଦଳ ।