ନନ୍ଦୀଗ୍ରାମ ମହାସଂଗ୍ରାମ : ପଶ୍ଚିମବଙ୍ଗ ପାଇଁ ଷ୍ଟାର ପ୍ରଚାରକ ସାଂସଦ ଜୁଏଲ ଓରାମ; କହିଲେ, ହାରିବା ଭୟରେ ମମତା କରୁଛନ୍ତି ଡ୍ରାମା 

235

କନକ ବ୍ୟୁରୋ : ଆଜି ନନ୍ଦିଗ୍ରାମରୁ ନାମାଙ୍କନ ପତ୍ର ଦାଖଲ କରିବେ ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗ ବିଜେପିର ଏହି ବଡ ଚେହେରା ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ବିରୋଧରେ ଲଢେଇ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏକ ବିଶାଳ ରାଲିରେ ଆଜି ନାମାଙ୍କନ ପତ୍ର ଦାଖଲ କରିବା ସହ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିବେ ଶୁଭେନ୍ଦୁ ।

ମିଳିଥିବା ସୂଚନା ଅନୁସାରେ ଆଜି ନାମାଙ୍କନ ଦାଖଲ ବେଳେ ଶୁଭେନ୍ଦୁଙ୍କ ସହ ରହିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ଓ ନୂଆକରି ଗେରୁଆ ଶିବିରରେ ସାମିଲ ହୋଇଥିବା ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତୀ । ଶୁଭେନ୍ଦୁଙ୍କ ନାମାଙ୍କନ ପାଇଁ ରାଲିରେ ଦୁଇ ଦୁଇଜଣ କେନ୍ଦ୍ରମନ୍ତ୍ରୀ ସାମିଲ ହେବା, ନନ୍ଦିଗ୍ରାମ ଆସନକୁ ନେଇ ବିଜେପିର ଗଭୀରତାକୁ ହିଁ ଦର୍ଶାଉଛି । ଯଦିଓ ନନ୍ଦିଗ୍ରାମ ଶୁଭେନ୍ଦୁଙ୍କ ଗଡ ।

ତଥାପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପାରମ୍ପରିକ ଆସନ ଛାଡି ନନ୍ଦିଗ୍ରାମ ଆସିବା ବିଜେପି ଆଗରେ ବଡ ଆହ୍ୱାନ ସୃଷ୍ଟି କରିଛି । କୁହାଯାଉଛି ନନ୍ଦିଗ୍ରାମ ଲଢେଇ ଶୁଭେନ୍ଦୁ ଅଧିକାରୀଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ ସ୍ଥିର କରିବ । କାରଣ ଏହି ଆସନରୁ ସେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ହରାଇବେ ବୋଲି ଘୋଷଣା କରିଛନ୍ତି । ନିଜକୁ ନନ୍ଦିଗ୍ରାମର ଭୂମିପୁତ୍ର ବୋଲି କହିବା ସହ ମମତାଙ୍କୁ ବାହାରୀ ନେତା କହି ରାଜନୈତିକ ଆକ୍ରମଣ କରିଆସୁଛନ୍ତି ଶୁଭେନ୍ଦୁ ଅଧିକାରୀ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେପିର ଷ୍ଟାର ପ୍ରଚାରକ ଜୁଏଲ ଓରାମ । ମମତା ବିରୋଧୀ ଲଢେଇ ପାଇଁ କଣ ରହିଛି ବିଜେପିର ରଣନୀତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି ।