ପଶ୍ଚିମବଙ୍ଗରେ ଆଜି ବି ହ୍ୱିଲ ଚେୟାର ପ୍ରଚାର କଲେ ମମତା । ବିଜେପି ଉପରେ ବର୍ଷିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କହିଲେ, ନିର୍ବାଚନ କମିଶନଙ୍କୁ ନିୟନ୍ତ୍ରଣ କରୁଛି ବିଜେପି ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଲଗାତର ତୃତୀୟ ଦିନରେ ହ୍ୱିଲ ଚେୟାରରେ ବସି ନିର୍ବାଚନୀ ରଣାଙ୍ଗନକୁ ଓହ୍ଳାଇଛନ୍ତି । ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଥିବା ମମତା ଏବେ ଆହୁରୀ ଆକ୍ରମଣାତ୍ମକ ହୋଇପଡିଛନ୍ତି । ବାଙ୍କୁରାରେ ନିର୍ବାଚନୀ ପ୍ରଚାର ବେଳେ ମମତା ବିଜେପିକୁ ଟାର୍ଗେଟ କରିଛନ୍ତି । ବାହାରି ଗୁଣ୍ଡାଙ୍କୁ ନିର୍ବାଚନ ଲଢିବାକୁ ଦେବେନାହିଁ ବୋଲି କହିବା ସହ ନିର୍ବାଚନ କମିଶନଙ୍କୁ ବିଜେପି ନିୟନ୍ତ୍ରଣ କରୁଥିବା ଅଭିଯୋଗ ଆଣିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ନିର୍ବାଚନରେ ମମତାଙ୍କ ଗଡରେ ଧସେଇ ପଶିବା ପାଇଁ ସବୁ କଳ ବଳ କୌଶଳ ଲଗାଇ ଦେଇଛି ବିଜେପି । ରାଜ୍ୟରେ ବିଜେପିର ତାରକା ପ୍ରଚାରକ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଠାରୁ ଆରମ୍ଭ କରି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଲି ବୁଲି ପ୍ରଚାର କରୁଛନ୍ତି ।
ପଶ୍ଚିମବଙ୍ଗରେ ସରକାର ଗଠନ ନେଇ ଦୃଢୋକ୍ତି ବାଢିଛି ବିଜେପି । ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ ବୋଲି କହିଛନ୍ତି ।
ସବୁଠାରୁ ବଡ କଥା ହେଉଛି, ପଶ୍ଚିମବଙ୍ଗର ଏହି ଲଢ଼େଇ, ବହୁ ତୁଙ୍ଗ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ପଶ୍ଚିମବଙ୍ଗ ଦେଇ ଓଡିଶା ଉପରେ ନଜର ରଖିଥିବା ବିଜେପି ପାଇଁ ଏହି ନିର୍ବାଚନ ଯେତିକି ଗୁରୁତ୍ୱପୂର୍ଣ୍ଣ, ନିଜର ଗଡ ରକ୍ଷା କରିବା ମମତାଙ୍କ ପାଇଁ ସେତିକି ବଡ ଆହ୍ୱାନ । ଯଦି ବିଜେପି ପଶ୍ଚିମବଙ୍ଗ ଦଖଲ କରିବ ତେବେ ଓଡିଶା ଆଡକୁ ଏହାର ନଜର ଆହୁରି ଜୋରଦାର ହେବ । ଏଥର ପଶ୍ଚିମବଙ୍ଗରେ ବିଜେପି ଯେତିକି ଜୋର ଲଗାଇଛି, ତାହାର କଣ ପରିଣାମ ଆସୁଛି, ସେଥିରୁ ଦେଶ ତଥା ଆଂଚଳିକ ରାଜନୀତିର ଭବିଷ୍ୟତ ନିର୍ଦ୍ଧାରଣ ହେବ ବୋଲି କୁହାଯାଇ ପାରିବ ।