ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗରେ ଉପ ନିର୍ବାଚନ । ଭବାନୀପୁରରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

127

କନକ ବ୍ୟୁରୋ: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ସେପ୍ଟେମ୍ବର ୩୦ ଉପ ନିର୍ବାଚନ ହେବ । ଏହି ଆସନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି କାରଣ ଏଠାରୁ ଉପ ନିର୍ବାଚନ ଲଢ଼ିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ୩ଟି ଆସନରେ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ । ଭବାନୀପୁର ସହ ସମସେରଗଞ୍ଜ ଓ ଜାଙ୍ଗିପୁରରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ହେବ । ଅକ୍ଟୋବର ୩ରେ ଏସବୁ ଆସନରେ ଭୋଟ ଗଣତି କରାଯିବ ।

ଚଳିତବର୍ଷ ଏପ୍ରିଲ-ମେ’ ମାସରେ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇ ପୁଣି ଥରେ କ୍ଷମତାକୁ ଫେରିଥିଲା ତୃଣମୂଳ କଂଗ୍ରେସ । ନିର୍ବାଚନରେ ୨୧୩ ଆସନ ଜିତିଥିଲା ତୃଣମୂଳ କଂଗ୍ରେସ । ଆଉ ବିଜେପିକୁ ୭୭ ଆସନରେ ହିଁ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ହେଲେ ସମସ୍ତଙ୍କ ନଜର ଥିବା ନନ୍ଦିଗ୍ରାମରେ ବିଜେପିର ଶୁଭନ୍ଦେୁ ଅଧିକାରୀଙ୍କ ଠାରୁ ହାରିଯାଇଥିଲେ ମମତା । ନିଜର ପାରମ୍ପରିକ ଆସନ ଭବାନୀପୁର ଛାଡ଼ି ଏଥର ନନ୍ଦୀଗ୍ରାମରୁ ଲଢ଼ିଥିଲେ ମମତା ।

ନିର୍ବାଚନ ଫଳାଫଳ ପରେ ଯଦିଓ ମମତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ହେଲେ ନିୟମ ଅନୁସାରେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ । ସେଥିପାଇଁ ମମତା ଉପନିର୍ବାଚନ ପାଇଁ ବାରମ୍ବାର ନିର୍ବାଚନ କମିଶନଙ୍କ ନିକଟରେ ଦାବି ରଖିଆସୁଥିଲେ । ବିଧାନସଭା ନିର୍ବାଚନରେ ଭବାନୀପୁର ଆସନରୁ ତୃଣମୂଳ କଂଗ୍ରେସର ଶୋଭନଦେବ ଚଟ୍ଟୋପାଧ୍ୟାୟ ଜିତିଥିଲେ । ହେଲେ ଫଳାଫଳର ଠିକ ପରେ ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ ଆଉ ଭବାନୀପୁରରୁ ତୃଣମୂଳ ସୁପ୍ରିମୋ ଉପନିର୍ବାଚନ ଲଢ଼ିବେ ବୋଲି ଦଳ ଘୋଷଣା କରିଥିଲା ।