ଓଡିଶା ଆସି ନବୀନଙ୍କୁ ଭେଟିବେ ମମତା ବାନାର୍ଜୀ । କଂଗ୍ରେସକୁ ବାଦ୍ ଦେଇ ତୃତୀୟ ସାମୁଖ୍ୟ ଗଠନ ଉପରେ ଗୁରୁତ୍ୱକୁ ନେଇ ଚର୍ଚ୍ଚା

178

କନକ ବ୍ୟୁରୋ: ନବୀନଙ୍କୁ ଭେଟିବେ ମମତା । ୨୧ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଆସିବେ । ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ଦର୍ଶନ କରିବେ । ଏହାପରେ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟିଏମସି ସୁପ୍ରିମୋ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ମୁତାବକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଶୁକ୍ରବାର ଭେଟିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏହାପରେ ମମତାଙ୍କ ଓଡିଶା ଗସ୍ତ ବାବଦରେ ସୂଚନା ମିଳିଛି । କୁହାଯାଉଛି କଂଗ୍ରେସକୁ ବାଦ୍ ଦେଇ ଅନ୍ୟ ଦଳକୁ ଏକାଠି କରି ଏକ ତୃତୀୟ ସାମୁଖ୍ୟ ଗଠନ କରିବାକୁ ଅଖିଳେଶ ଏବଂ ମମତା ରାଜି ହୋଇଛନ୍ତି । ଆଉ ଏହି ସାମ୍ମୁଖ୍ୟରେ ନବୀନଙ୍କୁ ସାମିଲ କରିବାକୁ ଦେଶର ପ୍ରମୁଖ ନେତା ଯୋଜନା କରୁଛନ୍ତି ।
୨୦୨୪ ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷ ରହିଥିବାବେଳେ ତୃତୀୟ ସାମୁଖ୍ୟ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ନବୀନ ପଟ୍ଟନାୟକଙ୍କୁ ସାକ୍ଷାତର ଏଜେଣ୍ଡା ଜଣାପଡ଼ିନଥିଲେ ବି ସେ ତୃତୀୟ ସାମୁଖ୍ୟ ସଂପର୍କରେ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି ।

ଗୁରୁତ୍ୱପୂର୍ଣ୍ଣ ହେଲା ମାର୍ଚ୍ଚ ୧ରେ ଚେନ୍ନାଇରେ ଡିଏମକେ ସୁପ୍ରିମୋ ଏମ କେ ଷ୍ଟାଲିନଙ୍କ ନେତୃତ୍ୱରେ ଏକ ବିଶାଳ ସମାବେଶ ହୋଇଥିଲା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକରେ ଯୋଗଦେଇଥିଲେ । ବିରୋଧୀ ଦଳଙ୍କୁ ଏକାଠି ହୋଇ ବିଜେପି ବିରୋଧରେ ନିର୍ବାଚନ ଲଢିବାକୁ ସେ ଆହ୍ୱାନ କରିଥିଲେ । ହେଲେ ଏହାପରେ ମମତା କହିଥିଲେ ତାଙ୍କ ଦଳ କୌଣସି ମେଂଟରେ ସାମିଲ ହେବ ନାହିଁ । କିନ୍ତୁ ଏବେ ଅଖିଳେଶ ନୀତୀଶ କୁମାର, କେସିଆର ଏବଂ ଷ୍ଟାଲିନଙ୍କ ସହ ଯୋଗାଯୋଗରେ ରହିଛନ୍ତି । ତେଣୁ କଂଗ୍ରେସକୁ ବାଦ୍ ଦେଇ ଅନ୍ୟ ଅଣବିଜେପି ଓ ଅଣକଂଗ୍ରେସ ଦଳ ଏକାଠି ହୋଇ ମେଣ୍ଟ କରିବାକୁ ଯୋଜନା କରୁଥିବା ସୂଚନା ରହିଛି ।