ନେତାଜୀ ଜୟନ୍ତୀରେ ନାରାବାଜି ଘଟଣା । ବିଜେପିକୁ ହମଲା କଲେ ମମତା । କହିଲେ ମୁଣ୍ଡ କଟିଯିବ ପଛେ ତଳକୁ କରିବିନି

160

କନକ ବ୍ୟୁରୋ: ନେତାଜୀ ଜୟନ୍ତୀରେ ବିଜେପି କର୍ମୀଙ୍କ ନାରାବାଜି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୋମବାର ହୁଗୁଳିର ଏକ ଜନସଭାକୁ ଉଦବୋଧନ ଦେଇ ସେ ବିଜେପି ଉପରେ ଜୋରଦାର ହମଲା କରିଛନ୍ତି । ଏଥସହ ସେ ନିଜ ଗଳା କାଟି ଦେବେ ପଛେ, ବିଜେପି ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି କହିଛନ୍ତି ।

ଗତ ଜାନୁଆରୀ ୨୩ ତାରିଖରେ ସାରା ଦେଶରେ ନେତାଜୀ ଜୟନ୍ତୀ ପାଳନ ହୋଇଥିଲା । ଏହିଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ପଶ୍ଚିମବଙ୍ଗ ସରକାର କିନ୍ତୁ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରିଥିଲା । କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଏଥିପାଇଁ ସ୍ୱତନ୍ତ୍ର ଉତ୍ସବ ଆୟୋଜନ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ ।

ଏହି ସଭାରେ କିନ୍ତୁ ବିଜେପି କର୍ମୀମାନେ ଜୟ ଶ୍ରୀ ରାମ ନାରା ଦେବାରୁ ଏଥିରେ ଚିହିଁକି ଉଠିଥିଲେ ମମତା । ସଭାରେ ସେ ସିଧାସିଧା ଉଦବୋଧନ ଦେବାକୁ ମନା କରିଦେଇଥିଲେ । କାହାକୁ ଡାକି ଏପରି ଅପମାନ କରିବା ଠିକ୍ ନୁହେଁ ବୋଲି ସେ କହିଥିଲେ । ସୋମବାର ଏହି ଘଟଣାକୁ ନେଇ ମମତା କହିଛନ୍ତି, ବିଜେପି କର୍ମୀମାନେ ନେତାଜୀଙ୍କ ସହ ବଙ୍ଗଳାର ଅପମାନ କରିଛନ୍ତି । ହେଲେ ସେ ବନ୍ଧୁକ ମୁନରେ ନୁହେଁ ବରଂ ରାଜନୀତିରେ ବିଶ୍ୱାସ ରଖିଛନ୍ତି ବୋଲି କହିଛନ୍ତି । ଯାହାକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି ।