କନକ ବ୍ୟୁରୋ: ପୁଣି ବିଜେପି ଉପରେ ଜୋରଦାର ବର୍ଷିଲେ ଟିଏମସି ନେତ୍ରୀ ମମତା ବାନାର୍ଜୀ । ଶୁକ୍ରବାର ନିଜ ଦଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମମତା ବିଜେପି ଉପରେ ବର୍ଷିବା ସହିତ, ବିଜେପିର ‘ବେଟି ବଚାଓ’ ନାରା ଏବେ ‘ବେଟି ଜଲାଓ’ ନାରାରେ ବଦଳିଲାଣି ବୋଲି କହିଛନ୍ତି ମମତା ବାନାର୍ଜୀ ।

Advertisment

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେପି ବେଟି ବଚାଓ ନାରା ଦେଇଥିଲା । ହେଲେ ଏବେ ସେହି ନାରା କେଉଁଠି ଅଛି? ଆଜି ମଣିପୁର ଜଳୁଛି, ସାରା ଦେଶ ଜଳୁଛି । ବିଲକିସ୍ ବାନୋ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ୍ ମିଳୁଛି । କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ୍ ମିଳିଛି । ତେଣୁ ଆଗାମୀ ଦିନରେ ଦେଶର ମହିଳାମାନେ ବିଜେପିକୁ ଦେଶର ରାଜନୀତିରୁ ବାହାର କରିଦେବେ ବୋଲି ମମତା କହିଛନ୍ତି ।

ମମତା ବାନାର୍ଜୀ ନିଜ ଦଳ ପକ୍ଷରୁ ଆୟୋଜିତ ଶହିଦ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମମତା କହିଥିଲେ, ତୃଣମୂଳ କଂଗ୍ରେସକୁ କୌଣସି ସିଟ୍ ଦରକାର ନାହିଁ । ହେଲେ ଆମେ ଚାହୁଁ କେବଳ ବିଜେପି ଶାସନରୁ ହଟୁ । ଏଥିସହିତ ବିରୋଧୀମାନଙ୍କର ମେଣ୍ଟ ଇଣ୍ଡିଆ ବ୍ୟାନର ତଳେ ତୃଣମୂଳ କଂଗ୍ରେସ କେନ୍ଦ୍ର ବିରୋଧରେ ବିରୋଧ ପ୍ରଦର୍ଶନ କରିବ ବୋଲି ମମତା କହିଛନ୍ତି ।

ଅନ୍ୟପଟେ ଟିଏମସି ନେତା ଅଭିଷେକ ବାନାର୍ଜୀ ଘୋଷଣା କରିଛନ୍ତି ଯେ, ଆସନ୍ତା ଗାନ୍ଧୀ ଜୟନ୍ତୀରେ ଟିଏମସି ମନରେଗା ଏବଂ ଅନ୍ୟ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ । ଦିଲ୍ଲୀରେ ବଡ ଆକାରରେ ଏହି ପ୍ରଦର୍ଶନ ଆୟୋଜିତ କରାଯିବ ।