ଶିକ୍ଷାରେ ସୁଧାର ପାଇଁ ବିପଦସଂକୁଳ ଯାତ୍ରା କରୁଛନ୍ତି ସାଧନ ସରକାର: ଡଙ୍ଗାରେ ନଦୀ ପାର ହେବା ପରେ ଘୋଡାରେ ଯାଇ ବୁଲୁଛନ୍ତି ବିଭିନ୍ନ ବିଦ୍ୟାଳୟ

181

କନକ ବ୍ୟୁରୋ: ସାବାସ୍ ସିଆରସିସି । ଦୁର୍ଗମ ତଥା ଅପହଂଚ ଇଲାକା କହି ନିଜ କର୍ତ୍ତବ୍ୟରୁ ମୁହଁ ଫେରାଇ ନେଉଥିବା ବଡ ବଡ ଅଧିକାରୀଙ୍କ ପାଇଁ ସ୍ୱାଭିମାନ ଅଂଚଳର ଏହି ବ୍ଲକ ଶିକ୍ଷାଧିକାରୀ ବଡ ଉଦାହରଣ । ସାଧାରଣତଃ ଅନେକ ଶିକ୍ଷକ ବାହାନା କରି ଶିକ୍ଷାଦାନ ଠାରୂ ଦୂରେଇ ରହନ୍ତି । କିନ୍ତୁ ଘୋଡାରେ ଓ ଡଙ୍ଗାରେ ବୁଲି ଶିକ୍ଷା କାର୍ଯ୍ୟକ୍ରମ ତଦାରଖ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ସାଧନ ସରକାର । ସେମାନେ ଯାହାକୁ ଅପହଂଚ ତଥା ଦୁର୍ଗମ ଅଂଚଳ ବାହାନା ଦେଖାଇ ଘରେ ବସିପଡୁଛନ୍ତି ସେଇଠି ସିଆରସିସି ସାଧନ ସରକାର ନିଜେ ଡଙ୍ଗା ଧରି ଏବଂ ଘୋଡାରେ ବୁଲି ବୁଲି ନିଜ ଦାୟିତ୍ୱକୁ ସଚ୍ଚୋଟତାର ସହ ପାଳନ କରିଛନ୍ତି ସାଧନ । ଉପାନ୍ତ ଅଂଚଳମାନଙ୍କରେ ଥିବା ବିଦ୍ୟାଳୟଗୁଡିକରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା ତାର ତଦାରଖ କରୁଛନ୍ତି ସିଆରସିସି ସାଧନ ସରକାର । ତେବେ ସିଆରସିସିଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଂଟିବା ସହ ସେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

 

ଗୁରୁପ୍ରିୟା ସେତୁ ତିଆରି ହେବା ପରେ ସ୍ୱାଭିମାନ ଅଂଚଳର ଭାଗ୍ୟ ବଦଳିଯିବ ବୋଲି ଆଶା କରାଯାଉଥିଲା । ତେବେ ଏବେବି ଅଧାରୁ ଅଧିକ ଗାଁ ବିକାଶର ସ୍ୱାଦ ଚାଖି ପାରିନି । ଏବେ ହଜାର ହଜାର ଲୋକେ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି । ଏପରିକି ଏଠାକାର ଶିକ୍ଷା ବ୍ୟବସ୍ଥା ଏବେବି କୌଣସି ସୁଧାର ଆସିପାରୁନି । ଏଭଳି ପରିସ୍ଥିତିରେ ସାଧନ ସରକାର ନାମକ ଏହି ସିଆରସିସି ପାପରମେଟଲା ଅଂଚଳରେ ନିଜେ ଡଙ୍ଗା ଓ ଘୋଡା ସାହାଯ୍ୟରେ ଉପାନ୍ତ ଅଂଚଳରେ ଥିବା ସମସ୍ତ ସ୍କୁଲଗୁଡିକର ଶିକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ମଧ୍ୟହ୍ନଭୋଜନଠାରୁ ଆରମ୍ଭ କରି ଶିକ୍ଷକମାନେ ନିୟମିତ ବିଦ୍ୟାଳୟକୁ ପିଲାଙ୍କୁ ପାଠପଢାଇବାକୁ ଆସୁଛନ୍ତି କି ନାହିଁ ସେସବୁ ତଦରଖ କରିଛନ୍ତି ସାଧନ । ଖାଲି ଏତିକି ନୁହେଁ ବିଦ୍ୟାଳୟକୁ ଆସୁନଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସ୍କୁଲକୁ ପାଠପଢିବାକୁ ଆସିବାକୁ ସଚେତନ କରାଉଛନ୍ତି ।

ତେବେ ଦୁର୍ଗମ ଓ ଅପହଂଚ ଅଂଚଳରେ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ପ୍ରଶାସନ ପକ୍ଷରୁ ଏହି ଅଂଚଳରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପଦକ୍ଷେପ ନିଆଯାଉଛି । ଏଭଳି ସ୍ଥିତିରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସିଆରସିସିଙ୍କ ଏଭଳି ବିପଦସଂକୁଳ ଯାତ୍ରା ଏବେ ସମଗ୍ର ଶିକ୍ଷକ ସମାଜ ପାଇଁ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛି ।