ଆଦିବାସୀଙ୍କ ସବୁଜ ସୁନା: କେନ୍ଦୁପତ୍ର ତୋଳି ରୋଜଗାର କରୁଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ

75

କନକ ବ୍ୟୁରୋ: ଚାଷୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଓ ଗୃହଣୀ, ସମସ୍ତେ ଲାଗି ପଡିଛନ୍ତି କେନ୍ଦୁପତ୍ର ତୋଳିବାରେ । ଏପ୍ରିଲ ପହିଲାରୁ ଆରମ୍ଭ କରି ମେ ମାସର ଦ୍ୱିତୀୟ ସପ୍ତାହ ଯାଏଁ, ମାଲକାନଗିରି ଜିଲ୍ଲାର ଲକ୍ଷାଧିକ କେନ୍ଦୁପତ୍ର ତୋଳାଳି ପତ୍ର ତୋଳିବାରେ ନିୟୋଜିତ ହୁଅନ୍ତି । ବର୍ଷ ତମାମ ବିଡି ପ୍ରସ୍ତୁତ କରିବା ଲାଗି ପତ୍ରକୁ ଘରେ ସାଇତି ରଖିବା ସହ ବଳକା ପତ୍ରକୁ ବିକ୍ରୀ କରନ୍ତି । ଆଉ ଖରା ଦିନେ ହାତରେ କାମଧନ୍ଧା ନଥିବା ସମୟରେ କେନ୍ଦୁ ପତ୍ର ସଂଗ୍ରହ କରନ୍ତି । କେନ୍ଦୁପତ୍ର ତୋଳି ଭଲ ଦୁଇ ପଇସା ରୋଜଗାର କରିବା ସହ ଆଗାମି ଖରିଫ ଚାଷ ପାଇଁ ଅର୍ଥ ସଂଚୟ କରନ୍ତି ମାଲକାନଗିରି ଜିଲ୍ଲାର ଅଧିକାଂଶ ଚାଷୀ ପରିବାର ।

ମାଲକାନଗିରି ସିଆଡିମାଳ ଗାଁର ବୃଦ୍ଧ ଦୁଲା ମାଡକାମି.. ପିଲାଟି ଦିନରୁ କେନ୍ଦୁ ପତ୍ର ତୋଳନ୍ତି । କେନ୍ଦୁପତ୍ର ବିଡା ୪୦ ପଇସା ଦରରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ୨ ଟଙ୍କା ୮୦ ପଇସାରେ ପହଂଚିଛି । ପିଲାଙ୍କ ପାଠ ପଢା ଖର୍ଚ୍ଚ ଠାରୁ ଆରମ୍ଭ କରି ବୋନସ ଅନେକ ସରକାରୀ ସୁବିଧା ପାଇଛନ୍ତି ଦୁଲା । ଏଥର ୬,୦୦୦ ବିଡା ପତ୍ର ତୋଳି ସରକାରୀ ଫଡିରେ ଦେଇ ପ୍ରାୟ ୧୭,୦୦୦ ଟଙ୍କା ରୋଜଗାର କରିଛନ୍ତି । ଏଥିପାଇଁ ପ୍ରଥମେ ଜଂଗଲଜାତ କେନ୍ଦୁପତ୍ରକୁ ସଂଗ୍ରହ କରି ଘରକୁ ଆଣି ୪୦ଟି ବଛା ବଛା ପତ୍ରରେ ବିଡା ବାନ୍ଧି ଫଡିକୁ ଆଣନ୍ତି ଦୁଲା ।

ଗୋଟିଏ ବିଡା କେନ୍ଦୁ ପତ୍ରର ସରକାରୀ ଦର ୨ ଟଙ୍କ ୪୦ରୁ ବଢି ଏଥର ୨ ଟଙ୍କା ୮୦ ପଇସା ହୋଇଛି । ଏଥିସହ କେନ୍ଦୁ ପତ୍ର ତୋଳାଳିଙ୍କ ପାଇଁ ୫୦ ପ୍ରତିଶତ ତଥା ୧ ଟଙ୍କା ୪୦ ପଇସା ପ୍ରତି ବିଡାରେ ବୋନସ ସହ ସରକାରୀ ବିମା, ଛତା, ଅଖା ଏବଂ ବ୍ୟାଙ୍କ ଆକାଉଂଟରେ ସିଧା ଅର୍ଥ ପଇଠ କରିବାର ବ୍ୟବସ୍ଥା ରହିଛି । ଚଳିତ ବର୍ଷ ସରକାରୀ ଫଡିରେ ୩୬ ହଜାର ୮୨୦ ତୋଳାଳି ଏହାରର ସିଧା ସଳଖ ଲାଭ ପାଇ ଥିବା ବେଳେ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ପ୍ରାୟ ୨୦ କୋଟି ଟଙ୍କା ପୈଠ ହେବାକୁ ଯାଉଛି ।

ସେହି ପରି ବେସରକାରୀ ଫଡିରେ ବିମା ବିମ୍ବା ବୋନସ ପରି ବ୍ୟବସ୍ଥା ନଥିଲେ ମଧ୍ୟ ସେଠାରେ ନଗଦ ୩ ଟଙ୍କା ୫୦ ପଇସା ଠାରୁ ଆରମ୍ଭ କରି ୪ ଟଙ୍କା ବିଡା ପ୍ରତି ଦରରେ ପତ୍ର କିଣା ହୋଉଛି । ତେଣୁ ତୋଳାଳି ମାନେ ବେସରକାରୀ ଫଡିରେ ପତ୍ର ବିକିବାକୁ ଅଧିକ ପସନ୍ଦ କରନ୍ତି । ଏହି ସବୁଜ ସୁନା ଜିରିଆରେ ଜିଲ୍ଲାରୁ ପାଖାପାଖି ୬୦ କୋଟିରୁ ଉର୍ଧ ଟଙ୍କାର ବ୍ୟବସାୟ ହୋଇଥାଏ ।