ଥାନା ଭିତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ : ୩ ଦିନ ଧରି ନିସ୍ତୁକ ମାଡ଼ ମାରିବା ସହ ବିଦ୍ୟୁତ ଝଟକା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ

ମାଲକାନଗିରିରେ ହୋମଗାର୍ଡଙ୍କ ଘରୁ ସୁନା ଓ ଟଙ୍କା ଚୋରୀ ଅଭିଯୋଗରେ ଗିରଫ ହୋଇଥିଲେ ନାବାଳକ

128

କନକ ବ୍ୟୁରୋ : ଥାନା ହାଜତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ପିଲାଙ୍କୁ ଥାନାରେ ତିନି ଦିନ ଧରି ନିସ୍ତୁକ ମାଡ ସହ ଇଲେକ୍ଟିକ୍ ଶକ ଦିଆ ଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ଏପରି ସାଂଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରୁ । ଅଭିଯୋଗ ମୁତାବକ ଗତ ୩ ଦିନ ପୁର୍ବେ ଚିତ୍ରକୋଣ୍ଡା ଥାନାର ଜଣେ ହୋମଗାର୍ଡଙ୍କ ଘରୁ କିଛି ସୁନା ଗହଣା ଓ ନଗଦ ୧୦ ହଜାର ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଆଉ ଥାନା କର୍ମଚାରୀଙ୍କ ଘରୁ ଚୋରୀ ଅଭିଯୋଗ ପାଇ ମାମଲାକୁ ଅତି ଗୁରୁତର ସହ ନେଇ ୪ ନାବାଳକ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲା ପୁଲିସ ।

ଆଉ ତିନି ଦିନ ଧରି ଥାନାରେ ପିଲାଙ୍କୁ ପୁଲିସ ନିସ୍ତୁକ ମାଡ ମାରିବା ସହ ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ କରିଛନ୍ତି ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକେ । ପିଲାଙ୍କୁ ରାତି ତମାମ ମାଡ ମରାଯିବା ସହ ଇଲେକ୍ଟ୍ରିକ ଶକ୍ ଦିଆ ଯାଉଥିଲା । ଏବଂ ପୁଲିସ କର୍ମଚାରୀ ସହ ବାହାର ଲୋକେ ମଧ୍ୟ ଥାନା ଭିତରେ ପଶି ପିଲାଙ୍କୁ ମାଡ ମାରୁଥିବା ନେଇ ଅଭିଯୋଗ ହୋଇଛି । ପିଲାଙ୍କ ବୟସ ୧୩ ରୁ ୧୬ ହୋଇ ଥିବାରୁ ସମସ୍ତ ୪ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଇଛି ଚିତ୍ରକୋଣ୍ଡା ପୁଲିସ । ସେପଟେ ଥାନା ହାଜତରେ ଏପରି ଅକଥନିୟ ଅତ୍ୟାଚାର ନେଇ ଚାଇଲ୍ଡ ଲାଇନକୁ ପରିବାର ଲୋକେ ଜଣାଇଛନ୍ତି । ତେବେ ମାଡ ମରା ଘଟଣାକୁ ଖଣ୍ଡନ କରିଛନ୍ତି ଚିତ୍ରକୋଣ୍ଡା ଥାନା ଅଧିକାରୀ ।