ଆଧାର ଆଳ ଦେଖାଇ ମାଥିଲିରେ ୮୦ ବର୍ଷିୟା ବୃଦ୍ଧାଙ୍କ ଭତ୍ତା କାଟି ଦେଲେ ପ୍ରଶାସନିକ ବାବୁ : ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ

175

କନକ ବ୍ୟୁରୋ : ବୟସ ଗଢିଲାଣି । ପାଖକୁ ଆସୁଥିବା ବାର୍ଦ୍ଧକ୍ୟ ଭତ୍ତା ସରକାରୀ ନଥିପତ୍ରରେ ଲେଉଟି ଗଲାଣି । ଆଧାର ଆଳ ଦେଖାଇ ଭତ୍ତା କାଟି ଦେଇଛନ୍ତି ବାବୁ । ମାଲକାନଗିରି ମାଥିଲି ବ୍ଲକ ନୂଆଗୁଡା ଗାଁରୁ ଆସିଛି ବୁଢି ମାଉସୀର ଆଧାର କାହାଣୀ । ନୂଆଗୁଡାର ସୁକ୍ରି ପୂଜାରୀ, ବୟସ ୮୦ ଡେଇଁ ସାରିଛି । ବୟସର ଅପରାହ୍ନରେ ଆଖିକୁ ଦେଖାଯାଉନି କି ପାଖରେ ଆଧାର କାର୍ଡ ନାହିଁ । ତେଣୁ ୩ ବର୍ଷ ହେବ ସୁକ୍ରି ପୂଜାରୀଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି ।

୧୦ ବର୍ଷ ପୂର୍ବରୁ ଶୁକ୍ରିଙ୍କୁ ଭତ୍ତା ଦେଇଥିଲା ପ୍ରଶାସନ । ସେତେବେଳେ ଆଧାର ବାଧ୍ୟତାମୂଳକ ନଥିଲା । ଏବେ ଆଧାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଜଣେ ୮୦ ବର୍ଷିୟା ବୃଦ୍ଧା ଆଧାର କାର୍ଡ କରି ପାରିନାହାନ୍ତି । ଏଭଳି ସ୍ଥିତିରେ ତାଙ୍କ ପାଇଁ ଆଧାରକାର୍ଡ କରାଇ ଦେବା ବଦଳରେ ତାଙ୍କ ଭତ୍ତା କାଟି ଦେଇଛି ପ୍ରଶାସନ । ୧୦ ବର୍ଷ ତଳୁ ଯୋଗ୍ୟ ବିବେଚିତ ଶୁକ୍ରି ପୂଜାରୀ ପାଇଁ କାହିଁକି କଠୋର ହେଲେ ସରକାରୀ ବାବୁ ? ଗତ ଅଗଷ୍ଟରୁ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ କରାଯାଇଥିବା ବେଳେ ୩ ବର୍ଷ ତଳୁ ଭତ୍ତା ଦିଆଯାଇ ନାହିଁ କାହିଁକି?

ମାଥିଲି ବ୍ଲକରେ ୧୩ ହଜାର ୬ଶହ ୮୯ ଜଣ ବାର୍ଦ୍ଧକ୍ୟ ହିତାଧିକାରୀ ରହିଛନ୍ତି । ସେଥିମଧ୍ୟରୁ ୨୭୮ ଜଣ ହିତାଧିକାରୀଙ୍କ ଆଧାର ଥାଇ ବି କୈାଣସି ତ୍ରୁଟି ଯୋଗୁଁ ସଂଯୋଗୀକରଣ ହୋଇପାରୁନାହିଁ । ୪୪୩ ଜଣ ହିତାଧିକାରୀଙ୍କ ପାଖରେ ଆଧାର ନଥାଇବି ଭତ୍ତା ଦିଆଯାଉଛି । ଏଭଳି ସ୍ଥିତିରେ କାହିଁକି ଶୁକ୍ରି ପୂଜାରୀଙ୍କ ଭତ୍ତା କାଟି ଦିଆଗଲା ତାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମାଥିଲି ବିଡିଓ ।