ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ହେବ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା । ଗାଁ ଗାଁରେ ବୁଲି ଝିଅ ଓ ଅଭିଭାବକଙ୍କୁ ବୁଝାଉଛନ୍ତି ଅଙ୍ଗନୱାଡି ଦିଦି ଓ ଆଶାକର୍ମୀ

159

କନକ ବ୍ୟୁରୋ : ସବୁବେଳେ ରାଜ୍ୟର ସର୍ବାଧିକ ବାଲ୍ୟ ବିବାହ ରେକର୍ଡ ହୁଏ ମାଲକାନଗିରି ଜିଲ୍ଲାରେ । ତେବେ ସେଇ ବାଲ୍ୟ ବିବାହକୁ ରୋକିବା ଲାଗି ଅଭିନବ ପ୍ରୟାସ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମାଲ୍ୟବନ୍ତ ନନ୍ଦିନୀ ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇ ପୋଟ୍ରେଲ ପଂଚାୟତକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି । ଆଗକୁ ପୂରା ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବାକୁ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ ।

ଆଉ କଅଁଳ ବୟସରେ ବିବାହ କରିବେନି ମାଲାକନଗିରି ଝିଅ । ବାଲ୍ୟ ବିବାହ ରୋକିବାକୁ ଅଭିନବ ପ୍ରୟାସ । ମାଲ୍ୟବନ୍ତ ନନ୍ଦିନୀ କାର୍ଯ୍ୟକ୍ରମ ହାତକୁ ନେଇ ସର୍ବାଧିକ ବାଲ୍ୟ ବିବାହ ଯୁକ୍ତ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଗଠନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଗାଁକୁ ଗାଁ, ଘରକୁ ଘର ଏବଂ ସମସ୍ତ ବିଦ୍ୟାଳୟ ବୁଲି ଛାତ୍ରୀ ଓ ଅଭିଭାବକଙ୍କୁ ସଚେତନ କରାଉଛନ୍ତି ଆଙ୍ଗନୱାଡି ଓ ଆଶା ଦିଦି । କିଶୋରୀ ଝିଅ ଥିବା ଘରେ ପୋଷ୍ଟର ମାରି ଝିଅର ନାଁ ଓ ବୟସ ସହ ବିବାହ ଯୋଗ୍ୟ ତାରିଖ ଉଲ୍ଲେଖ କରୁଛନ୍ତି ଆଙ୍ଗନଓାଡି ଦିଦି ।

ଗାଁ ଗାଁରେ ବୈଠକ କରି ୧୮ ଓ ୨୧ ବର୍ଷ ନପୁରୁଣୁ ବିବାହ ନ କରିବାକୁ ପିଲାଙ୍କୁ ଶପଥ ପାଠ କରାଉଛନ୍ତି ଗାଁ ଦିଦି । ଏହାଦ୍ୱାରା ଗତ ୨ରେ କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଂଚାୟତରେ ଆଦୌ ବାଲ୍ୟ ବିବାହ ହୋଇନାହିଁ । ତେଣୁ ଏହି ପୋଟ୍ରେଲ ପଂଚାୟତକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରି ସରପଂଚ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଛି ଜିଲ୍ଲା ପ୍ରଶାସନ ।

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ସର୍ବାଧିକ ବାଲ୍ୟ ବିବାହ ହୋଇଥାଏ । ୨୦୧୫-୧୬ ଜାତୀୟ ପରିବାର କଲ୍ୟାଳ ସର୍ଭେ ଅନୁସାରେ ମାଲକାନଗିରି ଜିଲ୍ଲାର ୩୯.୩% ବାଲ୍ୟ ବିବାହ ରେକର୍ଡ ହୋଇଥିଲା । ସେହିଭଳି ୨୦୧୮ରେ ୬୩ଟି, ୨୦୧୯ରେ ୮୦ଟି ଓ ୨୦୨୦ରେ ୧୭୮ଟି ବାଲ୍ୟ ବିବାହ ସରକାରୀ ଭାବେ ରେକର୍ଡ କରାଯାଇଛି । ତେଣୁ ବାଲ୍ୟ ବିବାହ ଘଟଣାକୁ ଅତି ଗୁରୁତର ସହ ନେଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମାଲ୍ୟବନ୍ତ ନନ୍ଦିନୀ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି । ଗ୍ରାମାଂଚଳରେ ଗାଁ କମିଟି ଗଠନ କରାଯାଇ ବାଲ୍ୟ ବିବାହ ପ୍ରଥାକୁ ରୋକିବା ଲାଗି ପ୍ରୟାସ ଜାରି ରହିଛି ।

ପ୍ରଥମ ପର୍ଯ୍ୟାୟରେ ପୋଟ୍ରେଲ ଗ୍ରାମ ପଂଚାୟତର ୧୪ ଓ ସେଇ କୋରୁକୋଣ୍ଡା ବ୍ଲକର ଆଉ ୧୦ଟି ଗାରୁଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି । ୨୦୨୪ ସୁଦ୍ଧା ମାଲକାନଗିରି ଜିଲ୍ଲାକୁ ସଂପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।