ଫୋନି ଦୁଃଖ ଭୁଲି ମୁଣ୍ଡ ଟେକୁଛି ମାଳତୀପାଟପୁର ବସଷ୍ଟାଣ୍ଡ: ଆଗକୁ ରଥଯାତ୍ରା ଥିବାରୁ ପ୍ରାଣମୂର୍ଚ୍ଛା ପ୍ରସ୍ତୁତି ଚଳାଇଛି ପୁରୀ ପ୍ରଶାସନ

102

କନକ ବ୍ୟୁରୋ: ଫୋନି ଯିବା ପରେ ପୁରୀରେ ଜୋର ଧରିଛି ପୁନରୁଦ୍ଧାର କାମ । ଜିଲ୍ଲାର ବିଭିନ୍ନ ବ୍ଲକରେ ପୁନରୁଦ୍ଧାର କାମ ତୀବ୍ର ଗତିରେ ଚାଲିଥିବା ବେଳେ ପୁରୀ ସହରର ଚାରିପାଖକୁ ସଜାଡିବାରେ ବ୍ୟସ୍ତ ରହିଛି ପ୍ରଶାସନ । ତେବେ ଆଗକୁ ରଥଯାତ୍ରା ଥିବାରୁ ଅଳ୍ପ ସମୟ ମଧ୍ୟରେ ସବୁ କାମ ସାରିବାକୁ ରାତି ଦିିନ ଏକ କରିଦେଇ ଯୁଦ୍ଧକାଳୀନ ଭିତ୍ତିରେ କାମ ସାରୁଛି ଜିଲ୍ଲା ପ୍ରଶାସନ ।

ବାତ୍ୟାରେ ଉଜୁଡି ଯାଇଥିବା ଘର, ଉଜୁଡି ଯାଇଥିବା ସୌନ୍ଦର୍ଯ୍ୟକୁ ଫେରାଇ ଆଣିବାକୁ ସମସ୍ତେ ସଜାଡିବାରେ ଲାଗି ପଡିଛନ୍ତି । ବିପର୍ଯ୍ୟୟର ମାସେ ପରେ କେତେକ ସ୍ଥାନରେ ସ୍ଥିତି ସୁଧୁରିଥିବା ବେଳେ ଆଉ କେତେକ ସ୍ଥାନରେ କାମ ଜୋରସୋରରେ ଚାଲିଛି ।

ତେବେ ୟାରି ଭିତରେ ଭାଙ୍ଗିରୁଜି ଯାଇଥିବା ମାଳତୀପାଟପୁର ବସଷ୍ଟାଣ୍ଡର କାମ ଆରମ୍ଭ ହେଲାଣି । ରଥଯାତ୍ରା ଆଗକୁ ଥିବାରୁ ପୁରୀର ମୁଖ୍ୟ ପ୍ରବେଶ ଦ୍ୱାରକୁ ସଜଡା ଯାଉଛି । ଫୋନି ବାତ୍ୟାରେ ବସଷ୍ଟାଣ୍ଡ ଏକଦମ ଛାରଖାର ହୋଇ ଯାଇଥିଲା । ବସଷ୍ଟାଣ୍ଡର ଛାତ ସହ ଅଧାରୁ ଅଧିକ ଘର ଭାଙ୍ଗି ଯାଇଥିଲା । ତେବେ ଓଡିଶା ତଥା ଓଡିଶା ବାହାରୁ ଆସୁଥିବା ପର୍ଯ୍ୟଟକ ସବୁ ମାଳତୀପାଟପୁର ଦେଇ ପୁରୀ ଭିତରକୁ ପ୍ରବେଶ କରନ୍ତି । ରଥଯାତ୍ରା ସମୟରେ ସବୁ ଗାଡି, ସବୁ ବସ ଉକ୍ତ ବସଷ୍ଟାଣ୍ଡରେ ହିଁ ରହିବ କାରଣ ପୁରୀ ସହର ଭିତରକୁ କୌଣସି ଗାଡିକୁ ଛଡାଯିବ ନାହିଁ । ତେଣୁ ସବୁ ପର୍ଯ୍ୟଟକ ଏଏ ବାଟ ଦେଇ ଯାଉଥିବାରୁ ତାହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଲାଗି ପଡିଛନ୍ତି କର୍ମଚାରୀ ଓ ପ୍ରଶାସନ ।