ସାମନାକୁ ଆସିଲା ମାଲକାନଗିରିରେ ପିସି କାରବାର ନଗ୍ନ ରୂପ ! ଆଦିବାସୀଙ୍କୁ ଜମି ପଟ୍ଟା ଦେବାରେ ବି ପରସେଂଟେଜ୍ ମାଗୁଛନ୍ତି ଅଧିକାରୀ

33

pc 1କନକ ବ୍ୟୁରୋ : ଲାଂଚ ନଦେଲେ ମିଳୁନି ଜମି ପଟ୍ଟା । ଖୋଲାଖୋଲି ସରକାରୀ ବାବୁ ମାଗୁଛନ୍ତି ହାତ ଗୁଂଜା । ଟଙ୍କା ନଦେଲେ ତହସିଲ କିମ୍ବା ଆରଆଇ ଅଫିସରେ ଫାଇଲ ବି ଘୁଂଚୁନି । ମାଲକାନଗିରି ଜିଲ୍ଲା କାଳିମେଳା ତହସିଲ କାର୍ଯ୍ୟାଳୟର ଲାଂଚ କାରବାର ଏକ ଏକ୍ସକ୍ଲୁସିଭ ଚିତ୍ର ଲାଗିଛି କନକନ୍ୟୁଜ୍ ହାତରେ । ଜମି ଡିମାର୍କେସନ୍ ପାଇଁ କେମିତି ଟଙ୍କା ଲାଂଚ ମାଗୁଛନ୍ତି ଆରଆଇ ଏବଂ ଟଙ୍କା ନଦେଲେ ସିଧାସିଧା କାମ କରିବେ ନାହିଁ ବୋଲି ଧମକ୍ ବି ଦେଉଛନ୍ତି ।

ଗୁପ୍ତ କ୍ୟାମେରାରେ କଏଦ ହୋଇଥିବା ଚିତ୍ର ହିଁ ବୟାନ କରୁଛି ହାତଗୁଂଜା ବା ଲାଂଚ କାରବାରର ଅସଲ ଚେହେରା । ଏଠି ଲାଂଚ ନଦେଲେ ମିଳେନି, ଜମିପଟ୍ଟା । ପିସି ନଦେଲେ ହଲେନି ଫାଇଲ । ଜମି ଡିମାର୍କେସନ୍ ପାଇଁ ୬ ହଜାର ଟଙ୍କା ଲାଂଚ ମାଗୁଥିବା ଆର୍ଆଇ, ଟଙ୍କା ନଦେଲେ କାମ କରିବେ ନି ବୋଲି ଧମକ୍ ବି ଦେଉଛନ୍ତି।

ଅଫିସ ବାହାରେ ଯେଉଁ ଚିତ୍ର, ଅଫିସର ଭିତରେ ସେହି ସମାନ ଚିତ୍ର । ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର କିରାଣୀମାନେ ଛୋଟରୁ ଅତି ଛୋଟ କାମ ପାଇଁ ଲାଂଚ ନେଉଛନ୍ତି । ଯାହାର ପ୍ରମାଣ ହେଉଛି ଗୁପ୍ତ କ୍ୟାମେରାରେ କଏଦ ହୋଇଥିବା ଏହି ଚିତ୍ର । ଆଉ କାଳିମେଳା ତହସିଲ କାର୍ଯ୍ୟାଳୟରେ ଚାଲିଥିବା ଏହି ଦୁର୍ନୀତିର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ପ୍ରଦୀପ ମାଝୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଅଫିସକୁ ଧସେଇ ପଶିବା ସହ ତହସିଲଦାର ସନତ କୁମାର ନାୟକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଦୀର୍ଘ ୧୨ ଘଂଟା ଧରି ଅଟକ ରଖିଥିଲେ । ଜିଲ୍ଲାପାଳ ଖୋଦ୍ ଆସି ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ହଟିଛି ଆନ୍ଦୋଳନ ।

ସ୍ୱଚ୍ଛ ଶାସନର ନାରା ଦେଉଥିବା ନବୀନ ସରକାର, ଜିରୋ ଟଲରାନ୍ସର ଆହ୍ୱାନ ଦେଇଛନ୍ତି । ଏହାକୁ ନେଇ ରାଜରାସ୍ତାରୁ ବିଧାନସଭା ସବୁଠି ହୁଲୁସ୍ତୁଲ ହେଉଛି । ହେଲେ ଗ୍ରାଉଣ୍ଡ ଜିରୋରେ କ’ଣ ଘଟୁଛି, ତାର ପ୍ରମାଣ ହେଉଛି କାଳିମେଳା ତହସିଲ ଅଫିସରୁ ଆସିଥିବା ଏହି ଚିତ୍ର ।