ବଢ଼ୁଛି ହୀରାକୁଦ ଡ୍ୟାମର ଜଳସ୍ତର : ମହାନଦୀରେ ଆସିପାରେ ବଡ଼ ବନ୍ୟା

112

କନକ ବ୍ୟୁରୋ : ବଢ଼ୁଛି ହୀରାକୁଦ । ଡ୍ୟାମରେ ୬୨୫ ଫୁଟ ଟପିଛି ଜଳସ୍ତର । ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ମହାନଦୀରେ ଆସିପାରେ ବଡ଼ ବନ୍ୟା । ଏବେ ୨୬ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ନଦୀ ଉଛୁଳୁଥିବାରୁ ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବାଙ୍କୀରେ ସ୍ଥିତି ଭୟଙ୍କର ହୋଇଛି । ବଡମ୍ବାର ଭଟ୍ଟାରିକା ମନ୍ଦିର, ବାଙ୍କୀର ପର୍ଯ୍ୟଟନ ସ୍ଥଳୀ ଦେବୀଦ୍ୱାର ମହାନଦୀ ପାଣିରେ ବୁଡିଯାଇଛି । ବାଙ୍କୀର କଇଁମୁଣ୍ଡି ଗାଁ ସମେତ କେତେକ ଗାଁରେ ବନ୍ୟା ପାଣି ପଶିଯାଇଛି । ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ଲହଡି ମାରୁଛି ।

କେତେକ ସ୍ଥାନରେ ଲୋକେ ଫଶି ରହିଥିବା ବେଳେ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମହାନଦୀ ଗୟଳବାଙ୍କ ନିକଟରେ ୨ ଫୁଟର ଘାଇ ସୃଷ୍ଟି ହୋଇଛି । ହୁଳୁହୁଳା ନାଳ ଉପରେ ୫ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ପାଣି ଭିତରେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ସମ୍ପୂର୍ଣ୍ଣ ବୁଡିଯାଇଛି । ସେପଟେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ କାଣୀ ନଦୀ ବନ୍ଧରେ ଏକ ବଡ ଘାଇ ସୃଷ୍ଟି ହୋଇଛି । ନଦୀରେ ଜଳସ୍ତର ବଢିବାରୁ ବ୍ରହ୍ମଚାରୀପାଟଣା ଠାରେ ଘଳିଆ ପଡି ପ୍ରାୟ ୬୦ ଫୁଟର ଏକ ଘାଇ ହୋଇଛି । ଆଉ ସେହି ଘାଇ ଦେଇ ବନ୍ୟା ପାଣି ଗାଁ ଗଣ୍ଡାରେ ପ୍ରବେଶ କରୁଛି । ଯଥାଶୀଘ୍ର ଘାଇର ମରାମତି କରାନଗଲେ ଚାଷ-ବାସ ନଷ୍ଟ ହେବାର ଆଶଙ୍କା ରହିଛି ।

ଲଗାଣ ବର୍ଷାରେ ହୀରାକୁଦ ବନ୍ୟାଜଳ ଆସିବା ପରେ ସଙ୍ଗୀନ ହୋଇଛି ଅନୁଗୁଳ ଟିକରପଡ଼ା ଅଞ୍ଚଳର ବନ୍ୟାସ୍ଥିତି । ପାଣି ଭିତରେ ବୁଡ଼ି ରହିଛି ରାସ୍ତା । ଡ଼ଙ୍ଗା ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ବାଧ୍ୟ ହେଉଛନ୍ତି ଲୋକ । ଟିକରପଡ଼ା ଅଞ୍ଚଳର ୪ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ରାସ୍ତା ଉପରେ ଚାଲିଛି ବନ୍ୟାଜଳ । ହୀରାକୁଦର ୩୪ଟି ଗେଟ ଖୋଲିବା ପରେ ଟିକରପଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାଣି ଆସୁଥିବା ବେଳେ ବାଲିପାଟଣା ଓ ବାଲିଅନ୍ତା ବ୍ଳକର ୭ରୁ ଅଧିକ ପଞ୍ଚାୟତର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅନେକ ଗାଁରେ ପାଣି ମାଡ଼ିବାର ସମ୍ଭାବନା ରହିଛି । ପ୍ରତିବର୍ଷ ଧନୁଆ ନଇରେ ବନ୍ୟା ପାଣି ଆସି ଉପକୂଳବର୍ତି ଅଂଚଳର ୩୦ରୁ ଅଧିକ ଗାଁ ଜଳମଗ୍ନ ହେଉଛି ।