ଅତିରିକ୍ତ ଜିଲ୍ଲାପାଳଙ୍କ ବଦାନ୍ୟତା : ପୁଣି ୧୫ ଜଣ ଭୂମିହୀନ ପରିବାରକୁ ଘରଡିହ ଜମି ପ୍ରଦାନ କଲେ ମହେଶ୍ୱର ନାୟକ

128

କନକ ବ୍ୟୁରୋ : ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳଙ୍କ ବଦାନ୍ୟତା । ଭୂମିହୀନଙ୍କୁ ନିଜ ଭୂସମ୍ପତି ଦାନ କଲେ ମହେଶ୍ୱର ନାୟକ । ରାୟଗଡା ଜିଲ୍ଲା କାଶିପୁର ତହସିଲର ଡଙ୍ଗାସିଲ ଗାଁର ୧୫ ହରିଜନ ପରିବାରକୁ ୨ଡେସିମିଲ ଘରଡିହ ଜମି ଦାନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । କାଶିପୁର ତହସିଲକୁ ଯାଇ ଦାନପତ୍ର ସ୍ୱାକ୍ଷରିତ କରି ୧୫ପରିବାରକୁ ଜମି ହସ୍ତାନ୍ତର କରିଛନ୍ତି ମହେଶ୍ୱର । ଗତ ଡିସେମ୍ବର ମାସ ୨୮ତାରିଖରେ ପ୍ରଥମେ ଡଙ୍ଗାସିଲ ଗାଁର ୧୫ପରିବାରକୁ ୨ଡେସିମିଲ ଲେଖାଏଁ ଘରବାରୀ ଜମି ଦାନ କରିଥିଲେ ମହେଶ୍ୱର ।

ଏବେ ପୁଣି ୧୫ପରିବାରକୁ ଘରଡିହ ଜମି ପ୍ରଦାନ କରିଛନ୍ତି । ଡଙ୍ଗାସିଲ ଗାଁର ଏହି ୩୦ଟି ପରିବାରର ନିଜସ୍ୱ ଜମି ନଥିବାରୁ ଆବାସ ଯୋଜନାରେ ଘର ପାଇବରୁ ବଂଚିତ ହୋଇଥିଲେ । ଏବେ ଅତିରିକ୍ତ ଜିଲ୍ଲାପାଳର ଘରଡିହ ଜମି ଦାନ ପରେ ଆବାସ ଯୋଜନାରେ ଘର ପାଇବା ସହଜ ହେବ । ୧୯୮୫ରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକଙ୍କ ବାପା କବିସୂର୍ଯ୍ୟ ନାୟକ ଏମାନଙ୍କୁ ଜମି ଦେଇ ଥଇଥାନ କରିଥିଲେ । ଏବେ ମହେଶ୍ୱର ଜମିକୁ ହସ୍ତାନ୍ତର କରି ନିଜ ବାପାଙ୍କ ଇଚ୍ଛାକୁ ପୂରଣ କରିଛନ୍ତି ।