ଗାନ୍ଧୀମୟ ହେଲା ଗଣତନ୍ତ୍ର ଦିବସ ! ୨୨ଟି ପ୍ରଜ୍ଞାପନ ମେଢ଼ରେ ବାପୁଙ୍କ ଜୀବନ କାହାଣୀ ଓ ସ୍ୱାଧୀନତା ସଂଗ୍ରାମର କଥା, ଦେଶ ସାଉଁଟିଲା ଗାନ୍ଧୀଙ୍କ ସ୍ମୃତି ।

88

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଦମ୍ ଦେଖାଇଛି ସେନା  । ସେପଟେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ପ୍ରଜ୍ଞାପନ ମେଢ଼ ଗୁଡ଼ିକରେ ଦେଖିବାକୁ ମିଳିଛି  । ବାପୁଙ୍କ ମୌଳିକ ଆଦର୍ଶ, ସ୍ୱାଧୀନତା ସଂଗ୍ରାମର କଥା ଅଧିକାଂଶ ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ସାଜିଛି  । ଅଧିକାଂଶ ରାଜ୍ୟ ନିଜ ପ୍ରଜ୍ଞାପନ ମେଢ଼ରେ ବାପୁଙ୍କ ଜୀବନ କାହାଣୀକୁ ସ୍ଥାନ ଦେବା ଚର୍ଚ୍ଚା ସୃଷ୍ଟି କରିଥିବା ପରେ ଅତିଥି ଓ ଦର୍ଶକଙ୍କ ପାଇଁ ଏହା ଉତ୍କଣ୍ଠାର ବିଷୟ ବନିଥିଲା  ।

ଗାନ୍ଧୀମୟ ଗଣତନ୍ତ୍ର ଦିବସ । ପ୍ରଜ୍ଞାପନ ମେଢ଼ରେ ବାପୁଙ୍କ କଥା । କେଉଁଠି ବାପୁଙ୍କ ଜୀବନ କାହାଣୀ ତ ପୁଣି କେଉଁଠି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତାର ଯୁଦ୍ଧ ଆଜି ଯେପରି ଗାନ୍ଧୀମୟ ହୋଇଉଠିଥିଲା ଦିଲ୍ଲୀର ଗଣତନ୍ତ୍ର ଦିବସ ପରେଡ  । ସିକିମ୍ ପ୍ରଜ୍ଞାପନ ମେଢ଼ ବାପୁଙ୍କ ଶିକ୍ଷା ସମ୍ପର୍କିତ ହୋଇଥିବା ବେଳେ ଆସାମ ପ୍ରଦର୍ଶିତ କରିଥିଲା ମହାତ୍ମା ଗାନ୍ଧୀଙ୍କ କୁଟୀରଶିଳ୍ପର କାହାଣୀ  । ଦୃଶ୍ୟ ଦେଖି ଲାଗୁଥିଲା ୭୦ତମ ଗଣତନ୍ତ୍ର ଦିବସରେ ଦେଶ ଯେପରି ମହାତ୍ମା ଗାନ୍ଧୀଙ୍କ ସ୍ମୃତି ପୁଣିଥରେ ସାଉଁଟୁଛି  । ଗୋଟିକ ପରେ ଆଉ ଗୋଟିଏ ରାଜ୍ୟର ପ୍ରଜ୍ଞାପନ ମେଢ଼ ରାଜପଥରେ ଆଗକୁ ବଢ଼ିଚାଲିଥିଲା, ଆଉ ପ୍ରତିଟି ମେଢ଼ ବୟାନ୍ କରୁଥିଲା ଗାନ୍ଧୀ ସ୍ମୃତିର ସେହି ଗୌରବମୟ ଅତୀତକୁ  ।

ଗଣତନ୍ତ୍ର ପରେଡରେ ଗାନ୍ଧୀ ସ୍ମୃତି । ସ୍ୱାଧୀନତା ସଂଗ୍ରାମର ଅକୁହା କାହାଣୀ । ବାପୁ ଦେଇଥିବା ସ୍ୱଚ୍ଛତାର ବାର୍ତା, ବାପୁ ଦେଖାଇଥିବା ସତ୍ୟପଥରେ ଅଗ୍ରସର ହେବାର ଆଦର୍ଶ ଓ ସର୍ବୋପରି ଗାନ୍ଧିଜୀଙ୍କ ଅହିଂସା ନୀତିକୁ ଆଧାର କରି ସିକିମ, ଅରୁଣାଚଳ ପ୍ରଦେଶ, ତାମିଲନାଡୁ, ଆସାମ୍ କର୍ଣ୍ଣାଟକ ଭଳି ଏକାଧିକ ରାଜ୍ୟର ପ୍ରଜ୍ଞାପନ ମେଢ଼ ରାଜପଥରେ ଆଗେଇ ଚାଲିଥିଲା  । କେଉଁଠି ପୁଣି ମହାତ୍ମା ଗାନ୍ଧୀଙ୍କ ବାରାଣାସୀ ଯାତ୍ରା ସ୍ଥାନୀତ ହୋଇଥିଲା ମେଢ଼ରେ  । ସେପଟେ ଉପସ୍ଥିତ ଦର୍ଶକ ଓ ଅତିଥି ଜାତିର ଜନକଙ୍କ ଏହି ପୁରୁଣା କାହାଣୀ ସବୁ ଦେଖି ଉଲ୍ଲସିତ ଓ ରୋମାଂଚିତ ହେଉଥିଲେ  । 

କେଉଁ ରାଜ୍ୟ ଦେଇଥିଲା କେଉଁ ବାର୍ତ୍ତା ?

ତ୍ରିପୁରା – ଗ୍ରାମୀଣ ଅର୍ଥ ବ୍ୟବସ୍ଥା

ପଂଜାବ – ଜାଲିଆନାୱାଲା ବାଗ୍ ଗଣହତ୍ୟା

ୟୁପି – ଗାନ୍ଧୀଙ୍କ କାଶୀ ଯାତ୍ରା

କର୍ଣ୍ଣାଟକ୍ – ଗାନ୍ଧୀଙ୍କ କଂଗ୍ରେସ ସଭା

ଦିଲ୍ଲୀ – ଗାନ୍ଧୀ ଓ ବିର୍ଲା ହାଉସ୍

ଅରୁଣାଚଳ – ସ୍ୱଚ୍ଛତାର ସନ୍ଦେଶ

୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ହୋଇଥିଲା ସମ୍ବିଧାନ ପ୍ରଣୟନ  । ବାପୁଙ୍କ ସମସ୍ତଙ୍କୁ ସମାନ ଅଧିକାର ନୀତିକୁ ଆଧାର କରି ପ୍ରସ୍ତୁତ ହୋଇଥିବା ସମ୍ବିଧାନ ଦେଶରେ ଲାଗୁ ହେବାର ଢେର୍ ବର୍ଷ ବିତିଯାଇଛି, ଆମେ ମଧ୍ୟ ସେହି ନୀତିକୁ ଅନୁସରଣ କରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ୍ କରିଛୁ  । ତେବେ ଗାନ୍ଧୀବାଦର ପ୍ରାସଙ୍ଗିକତା ରହିଛି ଓ ଆଗକୁ ମଧ୍ୟ ରହିବ, ଆଜିର ଗଣତନ୍ତ୍ର ଦିବସ ପରେଡରୁ ପ୍ରମାଣିତ ହୋଇଛି ଏକଥା  । ପରେଡ୍ ହୋଇଛି ଗାନ୍ଧୀମୟ ଓ ଗଣତନ୍ତ୍ରମୟ  ।