କୋଭିଡ୍ କଟକଣାରେ ପାଳନ ହେବ ଜାଗର ଯାତ୍ରା : ସଜେଇ ହେଉଛି ଲିଙ୍ଗରାଜ ମନ୍ଦିର; ସରିଛି ରଙ୍ଗ କାମ, ଚାଲିଛି ଫୁଲ ସଜା

84

କନକ ବ୍ୟୁରୋ : ମହାଶିବ ରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ରଙ୍ଗ କାମ ସରିଥିବା ବେଳେ ଫୁଲ ସଜା କାମ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁଙ୍କୁୁ ଖରା ଦାଉରୁ ସୁରକ୍ଷା ଦେବା ପାଇଁ ଫାଇବର ସେଡ୍ ପ୍ରସ୍ତୁତ ହୋଇ ରହିଛି । ସେହିଭଳି ଗଙ୍ଗା ଯମୁନା ଛକ ପର୍ଯ୍ୟନ୍ତ ଛାମୁଣ୍ଡିଆ କରାଯାଇଛି । ଏଥିସହିତ ମମନ୍ଦିର ବାହାରେ ରାସ୍ତାଘାଟ ଓ ବିଭିନ୍ନ ପୁଷ୍କରଣୀ ସଜେଇବାକୁ କାମ ଜାରି ରହିଛି । କାଲିଠୁ ପୁଷ୍କରଣୀ ଜଳରାଶିରେ ଝଲସିବ ରଙ୍ଗିନ ଆଲୋକ । ନୂଆ ରଙ୍ଗରେ ମନ୍ଦିର ଝଲମଲ କରୁଥିବା ବେଳେ ଆଲୋକମାଳ ମନ୍ଦିରକୁ ଆହୁରି ଝଲସାଇ ଦେଇଛି । ଏବେ ସିଂହ ଦ୍ୱାର ସଜେଇ ହେବା ପାଇଁ ପଡୋଶୀ ରାଜ୍ୟ କୋଲକତାରୁ ଆସୁଛି ଫୁଲ ।

ମହାଶିବରାତ୍ରୀ ପାଇଁ ମନ୍ଦିର ଓ ଆଖପାଖ ଅଞ୍ଚଳକୁ ସଫେଇ କରୁଛି ବିଏମ୍‌ସି । ବିଏମ୍‌ସିର ଠିକାଦାର ସଂସ୍ଥା ପିଏମ୍‌ଆର୍‌ର କର୍ମଚାରୀଙ୍କ ଦ୍ବାରା ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତା, ସବୁ ଛୋଟ ମନ୍ଦିର ପରିସରକୁ ସଫେଇ କରୁଛି। ଠିକାଦାର ଗଦାଇଥିବା ବାଲି ମାଟିକୁ ମଧ୍ୟ ସଫେଇ କରାଯାଉଛି । ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଓ ବାହରେ ଅଧିକ ଲାଇଟ୍ ବ୍ୟବସ୍ଥା କରାଯାଇଛି । ଏବେ ମନ୍ଦିର ନିକଟ ଦେବୀ ପାଦହରା ପୁଷ୍କରିଣୀ ଭିତରେ ଅଧିକ ଲାଇଟ୍‌ ଲଗାଯାଇଛି । ସେହିପରି ପୁଷ୍କରିଣୀ ଚାରିପଟେ ଆଲୋକ ମାଳାରେ ସଜା ହେବ । ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ଅନ୍ୟ ଛୋଟ ମନ୍ଦିରରେ ଲିଚୁମାଳା ଲଗାଯାଇଛି । ଏଥିସହ ମନ୍ଦିର ନିକଟସ୍ଥ ଗଛମାନଙ୍କରେ ମଧ୍ୟ ଲାଇଟ୍‌ ଲଗା ଯାଇ ସୌନ୍ଦର୍ଯ୍ୟୀକରଣ କରାଯାଇଛି । ଶ୍ରୀଲିଙ୍ଗରାଜଙ୍କ ମେଘନାଦ ପାଚେରିରେ ସୁନ୍ଦର ଆଲୋକ ମାଳା ଲଗାଯାଇଛି ।