ମହାରାଷ୍ଟ୍ରରେ ଖୁବଶୀଘ୍ର ବିଜେପିର ମେଣ୍ଟ ସରକାର ! ଫଡନଭିସଙ୍କ ଘରେ ବିଜେପି ନେତାଙ୍କ ବୈଠକ,ମନ୍ତ୍ରୀପଦକୁ ନେଇ ସିନ୍ଦେଙ୍କ ଟ୍ୱିଟ୍

220

କନକ ବ୍ୟୁରୋ : ମହାରାଷ୍ଟ୍ର କ୍ଷମତା ସଂକଟ ମଧ୍ୟରେ ବୁଧବାରଦିନ ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଭଗତସିଂ କୋଶିୱାରୀ ମଙ୍ଗଳବାର ଦିନ ମହାବିକାଶ ଅଘାଡି ସରକାରକୁ ବହୁମତ ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେବା ପରେ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି ।

ଉଦ୍ଧବଙ୍କ ଇସ୍ତଫା ପରେ ଏବେ ସ୍ପଷ୍ଟ ହେବାକୁ ଯାଉଛି କି ମହାରାଷ୍ଟ୍ରରେ ସିନ୍ଦେ ସମର୍ଥକଙ୍କ ସହ ମେଣ୍ଟ କରି ବିଜେପି ସରକାର ଗଠନ କରିବାକୁ ଯାଉଛି । ଏହିକ୍ରମରେ ଆଜି ଭାବି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଘରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କର ଏକ ବୈଠକ ବସିଛି । ଏହି ବୈଠକରେ ମହାରାଷ୍ଟ୍ର ବିଜେପି ପ୍ରଭାରୀ ସିଟି ରବି, ପାର୍ଟି ନେତା ଚନ୍ଦ୍ରକାନ୍ତ ପାଟିଲ, ଗିରୀଶ ମହାଜନ, ପ୍ରବୀଣ ଦରେକର ଉପସ୍ଥିତ ଅଛନ୍ତି ।

ସେପଟେ ଗୋଆରେ ନିଜ ସମର୍ଥିତ ବିଧାୟକଙ୍କ ସହ ଥିବା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହ ମେଣ୍ଟରେ ସରକାର ଓ ମନ୍ତ୍ରୀପଦ ଭାଗବଣ୍ଟାକୁ ନେଇ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି କି, ସେ ଏନେଇ ଏପର୍ଯ୍ୟନ୍ତ ବିଜେପି ସହ କୌଣସି ଆଲୋଚନା ହୋଇ ନଥିବା କଥା ସେ ସ୍ପଷ୍ଟ କରିଛନ୍ତି ।

ସେପଟେ ସରକାର ଭାଙ୍ଗିବା ପରେ ଏବେ ଶିବସେନା ନେତାଙ୍କୁ ଯାତୀୟ ଯାଂଚ ଏଜେନ୍ସିର ଭୟ ଘାରିଛି । ମହାରାଷ୍ଟ୍ର କ୍ଷମତା ସଂକଟ ଭିତରେ ଶିବସେନା ପାଇଁ ଢାଲ ସାଜିଥିବା ରାଜ୍ୟସଭା ସାଂସଦ ସଞ୍ଜୟ ରାୱତ ଆସନ୍ତା କାଲି ଇଡିରେ ହାଜର ହେବେ । ଏକ ଜମି ଘୋଟାଲାରେ ସଂଜୟଙ୍କ ସଂପୃକ୍ତି ଥିବା ସନ୍ଦେହ କରି ଇଡି ସଂଜୟଙ୍କୁ ୨ ଥର ନୋଟିସ ଜାରି କରିସାରିଛି ।