ଏଣିକି HELLO ନୁହେଁ ‘ବନ୍ଦେ ମାତରମ୍’ କହିବାକୁ ପଡିବ । ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶ ଜାରି କଲେ ମହାରାଷ୍ଟ୍ର ସରକାର ।

304

କନକ ବ୍ୟୁରୋ: ଏଣିକି ‘ହେଲୋ’ ନୁହେଁ ‘ବନ୍ଦେ ମାତରମ୍’ କହିବାକୁ ପଡିବ । ସରକାରୀ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ସଂଙ୍ଗଠନ କର୍ମଚାରୀଙ୍କ ପାଇଁ ଏପରି ନିର୍ଦ୍ଦେଶନାମା ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।
ମହାରାଷ୍ଟ୍ର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏକନାଥ ସିନେ୍ଧ ସରକାର ଏପରି ସରକାରୀ ସଙ୍କଳ୍ପ ଜାରି କରିଛନ୍ତି । ଶନିବାର ଜାରି ହୋଇଥିବା ଏହି ସଙ୍କଳ୍ପ ଅନୁସାରେ, ଏଣିକି ସରକାରୀ କର୍ମଚାରୀଙ୍କ ଫୋନ୍ କଲ ଆସିଲେ କିମ୍ବା କେହି ତାଙ୍କୁ ଅଫିସକୁ ଭେଟିବାକୁ ଆସିଲେ ତାଙ୍କୁ ହେଲୋ ନକହି ବରଂ ବନ୍ଦେ ମାତରମ୍ କହି ଅଭିବାଦନ ଜଣାଇବେ ସରକାରୀ ଅଧିକାରୀ ଓ କର୍ମଚାରୀ । ଏହି ନିୟମ ଗାନ୍ଧୀ ଜୟନ୍ତୀ ଠାରୁ ଲାଗୁ ହେବ ।

ଏହି ସଙ୍କଳ୍ପ ଜାରି ହେବା ପରେ ଏହାକୁ ବିରୋଧ କରିଥିଲେ ମୁସଲମାନ ସଙ୍ଗଠନ AIMIMର ନେତା ୱାରିଶ୍ ପଠାନ୍ । ସରକାର ବେରୋଜଗାରୀ ଓ ମହଙ୍ଗା ସମସ୍ୟା ଉପରୁ ଦୃଷ୍ଟି ଏଡାଇବାକୁ ଏପରି ସବୁ ନାଟକବାଜି କରୁଛନ୍ତି । ହାଲୋ କହି ବନ୍ଦେ ମାତରମ୍ ନ କହିଲେ ସରକାର କ’ଣ କର୍ମଚାରୀଙ୍କୁ ଫାଶି ଦେବେକି ? ବୋଲି କହି ସିନେ୍ଧ ସରକାରଙ୍କୁ ଟାର୍ଗେଟ କରିଥିଲେ ୱାରିଶ ପଠାନ୍ ।

ହେଲେ ଏହାକୁ ବାଧ୍ୟତାମୂଳକ କରିବାକୁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ‘ହେଲୋ’ ଏକ ବିଦେଶୀ ଶବ୍ଦ । ଏଥିରେ ଜାତୀୟତା ଓ ପ୍ରକୃତ ଶ୍ରଦ୍ଧା ସମ୍ମାନ ଅନୁଭବ ହୁଏ ନାହିଁ । କିନ୍ତୁ ବନ୍ଦେ ମାତରମ୍ କହିବା ଦ୍ୱାରା ଲୋକଙ୍କ ମନରେ ଜାତୀୟତା ଭାବ ସହ ଏକତ୍ୱ ଭାବ ସୃଷ୍ଟି ହେବ । ତେଣୁ ଏହାକୁ ପ୍ରଥମେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଯିବା ପରେ ଜନସାଧାରଣଙ୍କୁ ଏ ବାବଦରେ ସଚେତନ କରାଯିବା ଉଚିତ ବୋଲି ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗତିୱାର କହିଛନ୍ତି ।