ଆଜି ମହାରାଷ୍ଟର କ୍ୟାବିନେଟ୍ ସମ୍ପ୍ରସାରଣ ! ବିଜେପି ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ଶପଥ ନେବେ ୧୪ ନୂଆ ମନ୍ତ୍ରୀ

72

କନକ ବ୍ୟୁରୋ : ଆଜି ମହାରାଷ୍ଟ୍ର କ୍ୟାବିନେଟ ହୋଇପାରେ ସମ୍ପ୍ରସାରଣ । ମଙ୍ଗଳବାର ସିନ୍ଦେ ସରକାରର କ୍ୟାବିନେଟ୍ ସମ୍ପ୍ରସାରଣ ହେବା ନେଇ ସୂଚନା ମିଳିଛି । ମଙ୍ଗଳବାର ସକାଳ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜଭବନରେ ତାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିପାରନ୍ତି । ଉଭୟ ବିଜେପି ଏବଂ ଏକନାଥ ସିନ୍ଦେ ଗୋଷ୍ଠୀର ୧୪ ମନ୍ତ୍ରୀ ଆଜି ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ସୁପିମକୋର୍ଟରେ ଶିବସେନା ବିବାଦ ମାମଲା ପଡିରହିଥିବାରୁ କ୍ୟାବିନେଟ୍ ଗଠନରେ ବିଳମ୍ବ ହୋଇଛି । ଜୁନ୍ ୩୦ରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ ଗଠନ ହୋଇପାରିନାହିଁ ।

ଅଗଷ୍ଟ ୧୦ ତାରିଖରେ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବକୁ ଥିବା ଆଜି ମନ୍ତ୍ରୀମଣ୍ଡଳ ଗଠନ ହେବା ନେଇ କୁହାଯାଉଛି । ମନ୍ତ୍ରିମଣ୍ଡଳରେ ଏଥର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଗୃହ ମନ୍ତ୍ରାଳୟର ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ସିନ୍ଦେ ଓ ଫଡନଭିସ୍ ଗତ କିଛି ଦିନ ଧରି ଦିଲ୍ଲୀରେ ଥିଲେ । ଦୁଇ ନେତା ୨୨ ମନ୍ତ୍ରୀଙ୍କ ସହ ନୀତି ଆୟୋଗ ବୈଠକରେ ସାମିଲ ହୋଇଥିଲେ । ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ମନ୍ତ୍ରାଳୟ ଓ ବିଭାଗର ବଂଟନ ହୋଇନାହିଁ ଏବଂ କୌଣସି ମନ୍ତ୍ରୀ ମଧ୍ୟ ନାହାନ୍ତି । ପୂରା ସରକାରରେ କେବଳ ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ହିଁ ଅଛନ୍ତି । ଶପଥ ନେବାର ମାସେରୁ ଅଧିକ ସମୟ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ଗଠନ ନହେବା ନେଇ ପ୍ରଶ୍ନ ଉଠିଥିଲା ।