କନକ ବ୍ୟୁରୋ: ନିଳାଦ୍ରୀବିଜେ ପରଠାରୁ ହୋଇନି ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର । ମାସକୁ ୪ଥର ମହାପ୍ରଭୁଙ୍କ ବନକଲାଗି ନୀତି ହେବାର ନିୟମ ରହିଥିଲେ ବି, ୧୯ଦିନ ଭିତରେ ଥରେ ହୋଇନାହିଁ । ବୁଧବାର ନା ଗୁରୁବାର କେଉଁ ଦିନ ନୀତି ସମ୍ପାଦନ ହେବ, ତାକୁ ନେଇ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବନକଲାଗି ହୋଇନଥିବା ଜଣାପଡିଛି । ତେବେ ଏନେଇ ଚାରିଆଡୁ ପ୍ରଶ୍ନ ଉଠିବା ପରେ, ବିଶୃଙ୍ଖଳା ପାଇଁ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍ କରିଛି ଶ୍ରୀମନ୍ଦିର ପ୍ରଶାସନ ।

Advertisment
  • ଶ୍ରୀମନ୍ଦିରରେ ହୋଇପାରିଲାନି ‘ବନକଲାଗି ନୀତି’
  • ବିଶୃଙ୍ଖଳା ପାଇଁ ସେବାୟତଙ୍କୁ ନୋଟିସ୍

ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ବିବାଦରୁ ହୋଇପାରିଲାନି ଶ୍ରୀଜିଉଙ୍କ ବନକଲାଗି ନୀତି । ଆଶ୍ଚର୍ଯ୍ୟର କଥା ହେଉଛି, ମାସକୁ ୪ ଥର ଶ୍ରୀଜିଉଙ୍କ ବନକ ଲାଗି ନୀତି ହେବାକଥା । କିନ୍ତୁ ନିଳାଦ୍ରୀ ବିଜେ ପରଠାରୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ଆଜିଯାଏଁ ନୀତି ହୋଇନାହିଁ । ଏହି ନୀତିରେ ମୁଖ୍ୟତଃ ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । ହେଲେ ବୁଧବାର ନା ଗୁରୁବାର କେଉଁ ଦିନରେ ନୀତି ସମ୍ପାଦନ ହେବ, ତାକୁ ନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ରହିଛି ।

ବିଶୃଙ୍ଖଳା ପାଇଁ ଦତ୍ତ ମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ଏହି ନୋଟିସ ଜାରି କରି ଚାରିଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ୨୦୧୮ ପରିଚାଳନା କମିଟି ନିଷ୍ପତି ଅନୁସାରେ ପ୍ରତି ବୁଧବାର ବନକ ଲାଗି ନୀତି କରାଯାଉଛି । ହେଲେ ଏବେ କାହିଁକି ଗୁରୁବାର ବନକଲାଗି ନୀତି କରିବା ପାଇଁ ନିଯୋଗ ଜିଦ୍ ଧରୁଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ଉତ୍ତର ଲୋଡିଛି । ସେପଟେ ଦୁଇଦିନ ମଧ୍ୟରେ ନୋଟିସର ଜବାବ ଦିଆଯିବ ବୋଲି କହିଛି ଦତ୍ତ ମହାପାତ୍ର ନିଯୋଗ । ମହାପ୍ରଭୁଙ୍କ ବନକଲାଗି କରିବା ପାଇଁ ଗୁରୁବାର ଦିନ ସେମାନେ ପ୍ରସ୍ତୁତ ଥିଲେ । ହେଲେ ପ୍ରଶାସନର ଅବହେଳା ଯୋଗୁଁ ନୀତି ହୋଇପାରି ନାହିଁ ବୋଲି ପାଲଟା ଅଭିଯୋଗ କରିଛି ନିଯୋଗ ।

ଦତ୍ତ ମହାପାତ୍ର ନିଯୋଗର ଯୁକ୍ତି ହେଉଛି, ଶ୍ରୀମନ୍ଦିର ସତ୍ୱଲିପି ଆଧାରରେ ପ୍ରତି ଗୁରୁବାର ଦିନ ବନକଲାଗି କରାଯିବା ଦରକାର । ନହେଲେ ସତ୍ୱଲିପିକୁ ଉଚ୍ଛେଦ କରିଦେଉ ପ୍ରଶାସନ । ଆବଶ୍ୟକ ପଡିଲେ କୋର୍ଟର ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି ଦତ୍ତ ମହାପାତ୍ର ନିଯୋଗ ।