ଜନ୍ମବେଦୀକୁ ଗଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଶରଧାବାଲିରେ ଲାଗିଲା ୩ ରଥ, ଭାବବିହ୍ୱଳ ହେଲେ ଭକ୍ତ।

63

କନକ ବ୍ୟୁରୋ: କରୋନା ମହାମାରୀ କାରଣରୁ ଦୀର୍ଘ ୨ ବର୍ଷ ହେଲା ଏହି ଅପୂର୍ବ ସୁଯୋଗଟି ଜୁଟୁନଥିଲା । ଜଗା ପ୍ରେମରେ ପାଗଳ ଭକ୍ତ, ରଥ ଆଗରେ ନୃତ୍ୟ ପରିବେଷଣ କରିପାରୁନଥିଲେ କି ଟିଭି ପରଦାରେ ଏହି ବିରଳ ଦୃଶ୍ୟକୁ ଦର୍ଶକ ଉପଭୋଗ ବି କରିପାରୁନଥିଲେ । ଦୁଇ ବର୍ଷ ପରେ ସ୍ୱଚକ୍ଷୁରେ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ଆସିଥିବାରୁ ବଡ ଦାଣ୍ଡରେ ଭକ୍ତ ନିଜନିଜ ଢଙ୍ଗରେ ଭକ୍ତି ନିବେଦନ କରିଛନ୍ତି ।

ଭାବର ଠାକୁର କାଳିଆ ସାଆନ୍ତଙ୍କୁ ଟିକିଏ ଦର୍ଶନ କରିବା ପାଇଁ ରାଜ୍ୟ ଭିତରୁ ଓ ବାହାରୁ ଆସିଛନ୍ତି ଭକ୍ତ । ଜଗନ୍ନାଥ ପ୍ରେମରେ ଭାବବିହ୍ୱଳ ହେଉଛି ଭକ୍ତ । ପ୍ରଭୁଙ୍କ ପ୍ରେମରେ ପାଗଳ ଭକ୍ତ ସମାଜ । ଭୁଲିଯାଇଛି ଘର ଦ୍ୱାର, ସଂସାର ଜଞ୍ଜାଳ ନିଜ ପର ସବୁକିଛି ।

କାଳିଆ ପ୍ରେମରେ ଯିଏ ପଡିଛି ତାକୁ କେହି ଅଟକାଇ ପାରିନାହିଁ । ଠିକ୍ ସେମିତି ଏହି ଭାଇ, ଭଉଣୀ କାଳିଆ ପ୍ରେମରେ ପଡି ପଞ୍ଜାବରୁ ଟାଣି ହୋଇ ଆସିଛନ୍ତି । ନିଜ ନୃତ୍ୟ ଜରିଆରେ ନାଟୁଆ କାଳିଆକୁ ଦେଉଛନ୍ତି ଭକ୍ତି ଅର୍ଘ୍ୟ । କୁହାଯାଏ ପତିତଜନକୁ ଉଦ୍ଧାର ପାଇଁ ବଡଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି ମହାପ୍ରଭୁ । ଆଉ ତାଙ୍କ ଦର୍ଶନରୁ ବଞ୍ଚିତ ହେଉଥିବା ତାଙ୍କର କୋଟି କୋଟି ଶ୍ରଦ୍ଧାଙ୍କୁ ଦର୍ଶନ ଦେଇଥାନ୍ତି ।

କୁହାଯାଏ ରଥାରୁଢ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ମର୍ତ୍ୟମଣ୍ଡଳକୁ ଓହ୍ଲାଇ ଆସନ୍ତି ୩୩ କୋଟି ଦେବାବେଦୀ । ଆଉ ସେଥିପାଇଁ ନିଜକୁ ବିଭିନ୍ନ ଦେବାଦେବୀଙ୍କ ବେଶରେ ସଜାଇ ହୋଇ ପୁରୀକୁ ଆସିଛନ୍ତି ଭକ୍ତ । ମହାପ୍ରଭୁଙ୍କ ଏହି ଦୁଲର୍ଭ ଯାତ୍ରାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ଦେଶ ଓ ବିଦେଶରୁ ଭକ୍ତଙ୍କ ସୁଅ ଛୁଟିଛି । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି ପୁରୀ ବଡଦାଣ୍ଡରୁ ଶରଧାବାଲି ।