କନକ ବ୍ୟୁରୋ: ପୁଣି ଆରମ୍ଭ ହେଲା ମହାନଦୀ କଳି । ବିଜେଡିକୁ ନିଶାନା କରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ମହାନଦୀ ପ୍ରସଙ୍ଗରେ କହିଛନ୍ତି ଯେ, ଛତିଶଗଡ଼ରେ ବିଜେପି ସରକାର ଥିବାବେଳେ ବିଜେଡି ଚିକ୍ରାର କରୁଥିଲା । ଏବେ କୁହନ୍ତୁ କେନ୍ଦ୍ର ଛତିଶଗଡକୁ ସହାୟତା ଦେଉଛି । ଆରମ୍ଭରୁ ଆପୋଷ ବୁଝାମଣା କରିବା ବଦଳରେ ନବୀନ ବୟକଟ କରି ପଳାଇ ଆସିଛନ୍ତି । ଏବେ ବିଜେଡି କାହାକୁ ଦୋଷ ଦେବ । ମୋଦିଙ୍କୁ ନା ରମଣଙ୍କୁ ଦୋଷ ଦେବେ ବୋଲି କହିଛନ୍ତି ପ୍ରଦୀପ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଓଡିଶାରେ ଯେଉଁ ସରକାର ଥାଉ ଆପୋଷ ସମାଧାନ ହେବା କଥା । ମହାନଦୀ ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଯଦି ସମାଧାନ ନହେଲା ତାହେଲେ ଟ୍ରିବ୍ୟୁନାଲ ଉପରେ ଛାଡିଦେବା କଥା । ଏବଂ ଯିଏ ଯେଉଁ ଦଳର ହେଉ ପଛେ ଓଡିଶାର ସ୍ୱାର୍ଥ ରକ୍ଷା କରିବା କଥା । ମହାନଦୀ ପ୍ରସଙ୍ଗରେ ସମସ୍ତ ଦଳ ନିଶ୍ଚିତ ଭାବରେ ଏକତ୍ରିତ ହେବେ ଏଥିରେ ସନ୍ଦେହ ନାହିଁ ।
ଛତିଶଗଡରେ କଂଗ୍ରେସ ସରକାର ଥିଲେ ମଧ୍ୟ ରାଜ୍ୟ କଂଗ୍ରେସ କେବେ ରାଜ୍ୟର ସ୍ୱାର୍ଥକୁ ଜଳାଞ୍ଜଳୀ ଦେବ ନାହିଁ । ମହାନଦୀ ଜଳ ବିବାଦକୁ ନେଇ ଓଡିଶା କଂଗ୍ରେସର ଯାହା ଆଭିମୁଖ୍ୟ ଥିଲା ତାହା ହିଁ ରହିବ । ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ କହିବା ଅନୁଯାୟୀ, ମହାନଦୀ ସମସ୍ୟା ଗୋଟିଏ ବଡ ସମସ୍ୟା ନୁହେଁ ଏହାର ସମାଧାନ ହୋଇ ପାରିବ ।
ତେବେ ଉଭୟ କଂଗ୍ରେସ ଓ ବିଜେପିର ଅଭିଯୋଗକୁ କାଉଣ୍ଟର କରି ବିଜେଡି କହିଛି, ଓଡିଶାର ଦାବିକୁ ବିଜେପି ଓ କଂଗ୍ରେସ ବାରମ୍ବାର ଅଣଦେଖା କରୁଛନ୍ତି ଏବଂ ତାର ଏକ ନଗ୍ନ ଚିତ୍ର ମହାନଦୀ ବିବାଦ ଭାବେ ରାଜ୍ୟବାସୀ ଦେଖୁଛନ୍ତି । ।ଯେଉଁ ପରି ଭାବରେ ଭାରତୀୟ ଜନତା ପାର୍ଟି ଓଡିଶା ବିରୋଧୀ ମନୋଭାବ ରଖିଥିଲା ଏବଂ ଛତିଶଗଡକୁ ସମର୍ଥନ କରିବା ସହ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା ଠିକ୍ ସେହି ଢଙ୍ଗରେ କଂଗ୍ରେସ ମଧ୍ୟ ଓଡିଶାକୁ ଅଣଦେଖା କରିଚାଲିଛି । ଛତିଶଗଡର ମୁଖ୍ୟମନ୍ତ୍ରୀ ଓଡିଶା ଗସ୍ତରେ ଆସିବା ବେଳେ କହିଥିଲେ ମହାନଦୀ ବିବାଦର ସମାଧାନ ହୋଇଯିବ । କିନ୍ତୁ କୁଆଡେ ଗଲା ସମାଧାନ ଏହା ଉପରେ ଉତ୍ତର ରଖିବ କି କଂଗ୍ରେସ ବୋଲି ପ୍ରଶ୍ନ କରିଛି ବିଜେଡି । ଓଡିଶାର ଉନ୍ନତି ପାଇଁ ବିଜେଡି ଲଗାତାର ଭାବେ ସଂଗ୍ରାମ କରିଆସୁଛି । ତେଣୁ ବିଜେଡିକୁ ଗାଳି ଦେବା ବଦଳରେ ଉଭୟ ଦଳ ଆତ୍ମଚିନ୍ତନ କରିବା ଆବଶ୍ୟକ । ଯେ ବାସ୍ତବରେ ମହାନଦୀ ପାଇଁ କାହାର ଦରଦ କେତେ?