ସୋନୁଙ୍କ ବସ୍ ପାଇଁ ବ୍ୟାପିଲା କରୋନା ସଂକ୍ରମଣ । ଜାଣନ୍ତୁ କିଏ କହିଲେ ଏମିତି କଥା?

452

କନକ ବ୍ୟୁରୋ : ଆୟକର ଫାଙ୍କିବା ନେଇ ସୋନୁ ସୁଦଙ୍କ ନାଁରେ ଅଭିଯୋଗ ଆସିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । କିଛି ଦଳ ସୋନୁଙ୍କୁ ସମର୍ଥନ କରୁଥିବା ବେଳେ କିଛି ରାଜନୈତିକ ଦଳ ସୋନୁଙ୍କୁ ବିରୋଧ କରିବାକୁ ଆଗେଇ ଆସିଲେଣି । ଆମ ଆଦମୀ ପାର୍ଟି ସୋନୁଙ୍କୁ ସମର୍ଥନ କରୁଥିବା ବେଳେ ଉତ୍ତରପ୍ରଦେଶର ପାର୍ଟି ମହାନ ଦଳ ସୋନୁ ସୁଦଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ।

ମହାନ ଦଳର ରାଷ୍ଟ୍ରୀୟ ସଭାପତି କେଶବ ଦେବ ମୌର୍ଯ୍ୟ ବନ୍ଦାୟୁରେ ସମାଜବାଦୀ ଦଳ ସହ ଆୟୋଜିତ ଏକ ସଭାରେ ସୋନୁ ସୁଦଙ୍କୁ ଟାର୍ଗେଟ କରିଛନ୍ତି । କେଶବ କହିଛନ୍ତି, ଏବେ ସୋନୁଙ୍କ ଘରେ ରେଡ ପଡିଛି, ଆଗକୁ ସୋନୁ ବିଜେପି ପାଇଁ ପ୍ରଚାର କରୁଥିବାର ଦେଖିବାକୁ ମିଳିବ । ଏହାସହ କେଶବ କହିଛନ୍ତି, ସୋନୁଙ୍କ ଦ୍ୱାରା ପଠାଯାଉଥିବା  ବସ  କାରଣରୁ କରୋନା ବ୍ୟାପିଲା । ଏହାସହ କରୋନା ସଂକ୍ରମଣ ବ୍ୟାପିବା ପଛରେ ସୋନୁଙ୍କୁ ଦାୟୀ କରିଛନ୍ତି କେଶବ ।

କରୋନା କାଳରେ ସମସ୍ତ ବସ ଚଳାଚଳ ବନ୍ଦ ଥିଲା କିନ୍ତୁ ସୋନୁ ପଠାଉଥିବା ବସ ଚଳାଚଳ ପାଇଁ ଅନୁମତି ଦିଆଗଲା । ଯେହେତୁ ବସରେ କରୋନା ସଂକ୍ରମିତ ମଧ୍ୟ ଆସୁଥିଲେ ତେଣୁ ଦେଶରେ ବିଭିନ୍ନ ପ୍ରାନ୍ତରେ କରୋନା ସଂକ୍ରମଣ ବଢିଲା । ସୋନୁଙ୍କୁ ଭଗବାନ ଭାବେ ଚିତ୍ରଣ କରିବାକୁ ଏଭଳି କରାଯାଇଥିଲା କାରଣ ସେ ଆରଏସଏସ ବିଚାରଧାରର ବ୍ୟକ୍ତି । ଏବେ ତାଙ୍କ ଘର ଉପରେ ଚଢାଉ କରାଯାଉଛି । ତେଣୁ ସୋନୁ ସେତେବେଳେ ଏହି ସଙ୍କଟରୁ ରକ୍ଷା ପାଇବେ ଯେତେବେଳେ ସେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିବେ ।

ଏହାସହ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ମଧ୍ୟ ପ୍ରବଳ ବର୍ଷିଛନ୍ତି କେଶବ । ସେ କହିଛନ୍ତି, କରୋନା କାଳରେ ସଠିକ ନିଷ୍ପତ୍ତି  ନିଆଯାଇନଥିଲା । ଯାହାଦ୍ୱାରା ଦେଶରେ ଏଭଳି ପରିସ୍ଥିତି ଉପୁଜିଲା । ଏହାସହ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ କାମଚଳା ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି କେଶବ ଦେବ ।