ମା’ ଲକ୍ଷ୍ମୀଙ୍କ ମୁକୁଟ ବିବାଦର ଅନ୍ତ ! ସମ୍ପୂର୍ଣ୍ଣ ସୁନାରେ ମୁକୁଟ ତିଆରି କରିବ ଶ୍ରୀମନ୍ଦିର ପ୍ରଶାସନ

30

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଭାଙ୍ଗିଥିବା ମହାଲକ୍ଷ୍ମୀଙ୍କ ସୁନା ମୁକୁଟଟି ଶ୍ରୀମନ୍ଦିର ପ୍ରଶାସନର ନୁହେଁ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପି.କେ. ଜେନା ।ମୁକୁଟରେ ରୂପା ଉପରେ ସୁନା ପ୍ରଲେପ ଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହା ସହ ମହାଲକ୍ଷ୍ମୀଙ୍କ ପାଇଁ ସଂପୂର୍ଣ ରୂପେ ସୁନାର ମୁକୁଟ ତିଆରି ହେବ ବୋଲି ମଧ୍ୟ ସେ କହିଛନ୍ତି । ଖୁବ୍ ଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ହାତକୁ ଯିବ ମହାଲକ୍ଷ୍ମୀ ମନ୍ଦିରର ପରିଚାଳନା ଦାୟିତ୍ୱ । ଭକ୍ତଙ୍କ ଦାନ ଓ ଦାତାଙ୍କ ହିସାବ ଶ୍ରୀମନ୍ଦିର ପ୍ରଶାସନ ରଖିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ତେବେ ଗତ ମାର୍ଗଶୀର ଗୁରବାରରେ ବିନା ମୁକୁଟରେ ମହାଲକ୍ଷ୍ମୀ ପୂଜା ପାଇବା ପରେ ବିବାଦ ଆରମ୍ଭ ହୋଇଥିଲା । ମା’ଙ୍କ ସୁନାବେଶରେ ବିନା ସ୍ୱର୍ଣ୍ଣ ମୁକୁଟରେ ପୂଜା ପାଇଥିଲେ ଅନ୍ନଦାତ୍ରୀ । ୨୦୧୬ରୁ କିରିଟି ଭାଙ୍ଗିଯାଇଥିବା ବେଳେ ତାକୁ ୨ ମାସ ତଳେ କଢାଯାଇ ଜଉ ଲଗାଇ ରଖାଯାଇଛି । ହେଲେ ତାହା ଭଙ୍ଗାହୋଇଥିବାରୁ ଲଗାଯାଇନାହିଁ ।

ଅନ୍ୟପଟେ ପୂର୍ବରୁ ମଧ୍ୟ ମାଆଙ୍କ ମନ୍ଦିରର ପାଳିଆ ସେବାୟତ କିରିଟିକୁ ନେଇ ନିଜ ପାଖରେ ରଖୁଥିଲେ । ଆଉ ତାହା ଭାଙ୍ଗିଯିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ନଜଣାଇ କାଢିଦେଇଛନ୍ତି । ମନ୍ଦିର ପ୍ରଶାସନକୁ ଚିଠି ଲେଖିବା ପରେ କିରିଟିକୁ ଜଉମୁଦ ଦିଆଯାଇ ଶ୍ରୀମନ୍ଦିର ପ୍ରଶାସନ ନିଜ ଅକ୍ତିଆରରେ ରଖିଛି । ତେବେ ଏହି କିରିଟିର ମାଲିକାନାକୁ ନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ବିବାଦ ଚାଲିଥିବା ବେଳେ ଦିନରେ ମାଙ୍କ ମସ୍ତକ ଖାଲି ଦେଖି ଭକ୍ତ ଦୁଃଖ ପ୍ରକାଶ କରିଛନ୍ତି ।