ନବରଙ୍ଗପୁରରେ ମକା ଚାଷ ପାଇଁ ମହାଭାରତ। ଜଙ୍ଗଲ ଜମିରେ ହୋଇଥିବା ଫସଲ ନଷ୍ଟ କରିଦେଲେ ଶହ ଶହ ଆଦିବାସୀ।

248

କନକ ବ୍ୟୁରୋ: ଜଙ୍ଗଲ ଜମି ଅଧିକାରକୁ ନେଇ ତୁମୁଳକାଣ୍ଡ । ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କନ୍ଧ ସଂପ୍ରଦାୟର ଘର ପୋଡ଼ିବା ସହ ଏକର ଏକର ମକା ଚାଷ ନଷ୍ଟ କରିଦେଲେ ଶହଶହ ଆଦିବାସୀ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ସାଙ୍ଘାତିକ ଖବର । ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗାଁରେ ଜଙ୍ଗଲ ଜମି ଅଧିକାରକୁ ନେଇ ଘର ପୋଡିବା ଶହ ଶହ ଏକର ମକା ଚାଷ ନଷ୍ଟ କରିଦେଇଛନ୍ତି ନିକଟସ୍ଥ ସିରିଲିଗୁଡ଼ା, କୁସୁମଗୁଡ଼ା, କସରାଭଟା ଭଳି ୮ ଖଣ୍ଡ ଗାଁର ଲୋକେ । ତେବେ କପସାଭଟା, ସାରିୟାଭଟା ଓ ଲକଟିପଖନା ଗାଁର ପ୍ରାୟ ଶହେ କନ୍ଧ ଜନଜାତି ପରିବାର ଦୀର୍ଘ ୫୦ ବର୍ଷ ହେଲା ଜଙ୍ଗଲ ଜମିରେ ବସବାସ କରିବା ସହ ଚାଷ କରି ଜୀବିକାନିର୍ବାହ କରିଆସୁଛନ୍ତି ।

୨୦୦୫ରୁ କୁସୁମଗୁଡା ବନ ସୁରକ୍ଷା ସମିତି ଏହି ତିନିଟି ଗାଁକୁ ଏଠାରୁ ହଟାଇବାକୁ ଦାବି କରିଆସୁଛି । ତେଣୁ ପ୍ରତିବର୍ଷ ବର୍ଷ ଫସଲ ନଷ୍ଟ କରି ଦେଉଛନ୍ତି । ଏନେଇ ପ୍ରଭାବିତ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପ୍ରତିବର୍ଷ ବର୍ଷା ରୁତୁରେ ଶହ ଶହ ଏକର ଜମିର ମକା ଫସଲ ନଷ୍ଟ ହେଉଥିଲେ ମଧ୍ୟ ନା ପ୍ରଶାସନ ନା ସରକାରଙ୍କ ପକ୍ଷରୁ ଏହାର ସମାଧାନ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉଛି । ଯାହାର ପରିଣାମ ସ୍ୱରୁପ ଆଜି ବନ ସୁରକ୍ଷା ସମିତି ଅନ୍ତର୍ଗତ ୮ ଖଣ୍ଡ ଗାଁର ହଜାରରୁ ଅଧିକ ମହିଳା ଏବଂ ପୁରୁଷ ଜମିରେ ପଶି ଫସଲକୁ କାଟି ନଷ୍ଟ କରିବା ସହ ଗାଇ-ଗୋରୁ ଛାଡି ଦେଇଛନ୍ତି । ଏବଂ ଘଟଣାସ୍ଥଳକୁ ଆସୁଥିବା ପୋଲିସ ଏବଂ ଅନ୍ୟ ପ୍ରସାଶନିକ ଅଧିକାରୀଙ୍କୁ ଅଟକାଇବା ପାଇଁ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଦେଇଥିଲା ବନ ସୁରକ୍ଷା ସମିତି । ପୋଲିସ ରାସ୍ତାରୁ ଗଛ ହଟାଇ କପସାଭଟା, ସାରିୟାଭଟା ଓ ଲକଟିପଖନା ଗାଁରେ ପହଞ୍ଚିବା ବେଳକୁ ସବୁ ଫସଲକୁ ନଷ୍ଟ କରି ସାରିଥିଲେ କୁସୁମଗୁଡା ବନ ସୁରକ୍ଷା ସମିତି । ହଜାରରୁ ଅଧିକ ଲୋକଙ୍କ ଏକକାଳୀନ ଏଭଳି ଭଙ୍ଗାରୁଜା ଓ ଚାଷ ନଷ୍ଟକୁ ନେଇ କପସାଭଟା, ସାରିୟାଭଟା ଓ ଲକଟିପଖନା ଗାଁରେ ଲୋକଙ୍କ ମନରେ ଭୟଖେଳିଯାଇଛି । କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡୁଛି । ଫସଲନଷ୍ଟ ହୋଇଯିବା ପରେ କିଭଳି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାମବାସୀ ।