ରାଜଧାନୀରେ ପୁଣି ମ୍ୟାଜିକ ବାବାଙ୍କ କଳା କାରନାମା। ବିଭୂତି ପକାଇ ମହିଳାଙ୍କୁ ଲୁଟ କରିବାକୁ ଉଦ୍ୟମ

ପୋଲିସ କହିଲା, ସତର୍କ ରୁହନ୍ତୁ, ଖବର ମିଳିଲେ ସୂଚନା ଦିଅନ୍ତୁ

408

କନକ ବ୍ୟୁରୋ: କ୍ରାଇମ କଂଟ୍ରୋଲ କରିବା ପାଇଁ ଗୋଟିଏ ପଟେ ପୁଲିସ ଏନକାଉଣ୍ଟର ଚଳାଇଥିବା ବେଳେ, ଅପରାଧୀ ମାନେ ଲୁଟର ନୁଆ ତରିକା ଆପଣାଇଥିବା ନେଇ ଚର୍ଚ୍ଚା ହେଉଛି । ଏବେ ରାଜଧାନୀରେ ମାତିଛି ମ୍ୟାଜିକ ବାବା । ପ୍ରଥମେ ମ୍ୟାଜିକ ଦେଖାଉଛନ୍ତି ଆଉ ତାପରେ ଟଙ୍କା ସୁନା ଧରି ଉଭାନ ହୋଇଯାଉଛି । ଏହି ମ୍ୟାଜିକ ବାବାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ।

 

ମାତିଛନ୍ତି ମ୍ୟାଜିକ ବାବା । ପୁଣି ବିଭୂତି ଦେଇ ଲୁଟ ଉଦ୍ୟମ । ମ୍ୟାଜିକ ବାବା ଆଇନଜୀବୀ ସମରେନ୍ଦ୍ର ସାହୁଙ୍କୁ ଚୁନା ଲଗାଇବା ପରେ ଏବେ ସମାନ ଷ୍ଟାଇଲରେ ଚୁନା ଲଗାଇବାକୁ ଉଦ୍ୟମ କରୁଛି ବାବା ଗ୍ୟାଙ୍ଗ । ହେଲେ ଫେଲ ମାରୁଛି । ବାବା ଗ୍ୟାଙ୍ଗ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ହାଇସିଂବୋର୍ଡ କଲୋନୀବାସୀ ।

ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରଏଲଆଇଜିରୁ ୩ ମହିଳାଙ୍କୁ ଭଣ୍ଡ ବାବା ଗ୍ୟାଙ୍ଗ ଚୁନା ଲଗାଇବାକୁ ଉଦ୍ୟମ କରିଛନ୍ତି । ବାବା ବେଶରେ ୨ ଭଣ୍ଡ ଜଣକ ପରେ ଜଣେ ମହିଳାଙ୍କ ଘରେ ପହଂଚିଥିଲେ । ପ୍ରଥମେ କିଛି ଟଙ୍କା ମାଗି ସେଗୁଡିକୁ ବିଭୁତିରେ ପରିଣତ କରୁଥିଲେ ତ ପୁଣି କାହା ଘର ବାହାରେ ପଥରକୁ ମୁର୍ତ୍ତିରେ ପରିଣତ କରିଥିଲେ । ଖାଲି ସେତିକି ନୁହେଁ ଟଙ୍କାକୁ ନେଇ ଡେଉଁରିଆରେ ବି ପରିଣତ କରିଦେଇଛନ୍ତି ଏହି ବାବା ଗ୍ୟାଙ୍ଗ । ଏହି ସବୁ ମ୍ୟାଜିକ ଦେଖାଇବା ପରେ, ଭାଗ୍ୟ ପରିବର୍ତ୍ତନ କରିଦେବାକୁ କହି, ହଜାର ହଜାର ଟଙ୍କା ବି ମାଗିଥିଲେ । ଆଉ ଟଙ୍କା ଦେବାକୁ ଅମଙ୍ଗ ହେବାରୁ ମହିଳାଙ୍କ ପାଖରେ ମହଜୁଦ ଟଙ୍କା ଏବଂ ରାସନ ସାମଗ୍ରୀ ନେଇ ଛୁ ମାରିଛନ୍ତି ଏହି ବାବା ଗ୍ୟାଙ୍ଗ ।

 

ଅନ୍ୟପଟେ ଏହି ଘଟଣା ପରେ, କମିଶନରେଟ ପୁଲିସ ବାବାକୁ ଖୋଜିବା ଆରମ୍ଭ କରିଛି । ଜବତ ହୋଇଥିବା ସିସିଟିଭି ଫୁଟେଜକୁ ରାଜଧାନୀ ଓ ରାଜଧାନୀ ବାହାରକୁ ବି ପଠାଯାଇଛି । ବାବାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । ତେବେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ, ଆସୁଛି ମାଳମାଳ ଅଭିଯୋଗ । ତେବେ ବାବା ଗ୍ୟାଙ୍ଗର ଶିକାର ବ୍ୟକ୍ତି ସିଧାସଳଖ ଥାନାରେ ଅଭିଯୋଗ କରିପାରିବେ ବୋଲି କହିଛନ୍ତି ଡିସିପି ।