ମଧ୍ୟ ପ୍ରଦେଶରେ ରହିଛି ଦେଶର ସବୁଠୁ ସୁନ୍ଦର ଗାଁ, ‘ବେଷ୍ଟ ଟୁରିଜିମ୍ ଭିଲେଜ’ ପାଇଁ ହୋଇଛି ନୋମିନେଟ

110

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ ଲୋକମାନେ ସହର ମୁହାଁ , କିଏ କାମ ଅନ୍ୱେଷଣରେ ତ କିଏ ଉନ୍ନତ ଶିକ୍ଷା ପାଇଁ । ସମସ୍ତେ ଏବେ ସହରରେ ରହିବାକୁ ପଶନ୍ଦ କରୁଛନ୍ତି । ହେଲେ ଆପଣ କେବେ ଭାବିଛନ୍ତି କି ଆପଣ ଚାହିଁଲେ ଆପଣଙ୍କ ଗାଁ ବି ସହର ଠାରୁ ସୁନ୍ଦର ହୋଇ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।

ଏମିତି ଏକ ଗାଁ ରହିଛି ମଧ୍ୟ ପ୍ରଦେଶରେ । ମଧ୍ୟ ପ୍ରଦେଶର ଲାଡପୁରା ଗାଁର ଜନସଂଖ୍ୟା ୧,୧୧୦ । ଏହି ଜନସଂଖ୍ୟାର ୮୦ ପ୍ରତିଶତ ଲୋକ ଶିକ୍ଷିତ । ଏହି ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲେ ଆପଣଙ୍କ ଆଖି ଲାଖିଯିବ । ଜଙ୍ଗଲ, ପୋଖରୀ ଓ ପାହାଡ ଭିତରେ ଏହି ଗାଁ ଏକ ଅପରୂପ ସୌନ୍ଦର୍ଯ୍ୟ ଭରା । ଏହା ଭାରତର କୌଣସି ପର୍ଯ୍ୟଟନସ୍ଥଳ ଠାରୁ କୌଣସି ଗୁଣରେ କମ ଅନୁଭବ ହୋଇନଥାଏ । କେବଳ ପ୍ରକୃତିର ସୌନ୍ଦର୍ଯ୍ୟତା ନୁହେଁ ଏହା ଦେହରେ ଆହୁରି ରଙ୍ଗମାଖିଛି ଏହି ଗାଁ ଲୋକଙ୍କର କଳା ଓ ଲୋକ ସଂସ୍କୃତି । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ କବାଡି, ଗୁଲି ଦଣ୍ଡା ଭଳି ଖେଳ ଖେଳାଯାଇଥାଏ । ସଂନ୍ଧ୍ୟା ହେଲେ ଗ୍ରାମବାସୀମାନେ ପର୍ଯ୍ୟଟକମାନଙ୍କୁ ବୁନ୍ଦେଲ ଲୋକଗୀତ ଶୁଣାଇବା ସହ ଅନ୍ୟ ସାଂସ୍କୃତିକ ଲୋକକଳା ପରିବେଶଣ କରି ସେମାନଙ୍କ ମନରେ ଭରି ଦିଅନ୍ତ ଅଫୁରନ୍ତ ଖୁସି ।

ଲାଡପୁରର ଏଭଳି ଉପଲବ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି କି ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବ । ଆମ ରାଜ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଅଦ୍ଭୁଦ ସ୍ଥାପିତ କଳାର ଏକ ସମାହାର । ଏହି ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଖାଦ୍ୟପେୟ ପର୍ଯ୍ୟଟକମାନଙ୍କର ବେସ୍ ପଶନ୍ଦ ଆସିଥାଏ ।

କହିରଖୁ କି ପୁରା ଦେଶରେ (The World Tourism Organization – UNWTO) ପୁରସ୍କାର ପାଇଁ ମାତ୍ର ୩ ଟି ଗାଁ ନୋମିନେଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛି ଲାଡପୁରା ଗାଁ । ଏହାସହ ତେଲେଙ୍ଗନାର ପଞ୍ଚମ୍ପେଲି ଓ ମେଘାଳୟର କାନ୍ତି କାଂଗତୋଂଗ ଗାଁ ବି ଏହ ପୁରସ୍କାର ପାଇଁ ନୋମିନେଟ ହୋଇଛି ।

ମଧ୍ୟ ପ୍ରଦେଶର ଔରଚ୍ଛା ଠାରୁ ପାଖା ପାଖି ୮ କିଲୋମିଟର ଦୂରରେ ଏହି ଲାଡପୁରା ଗାଁ ରହିଛି । ସବୁଠାରୁ ବଡକଥା ଯେ ସାରା ଦେଶର ବିକାଶରେ ମହିଳା ମାନଙ୍କ ଭାଗିଦାରୀ ୫୦ ପ୍ରତିଶତ କରିବାକୁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏହି ଗାଁର ମହିଳାମାନେ ଆର୍ଥିକ ବିକାଶରେ ୭୦ ପ୍ରତିଶତରୁ ଅଧିକ ଭାଗିଦାରୀ ହୋଇଥାନ୍ତି । ଏଠାରେ ମହିଳାମାନେ ଇ-ରିକ୍ସା ଚଳାଇଥାନ୍ତି । ଏହି ଗାଁ ର ଚିତ୍ର ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏବେ ଭିଡ ଜମାଉଥିବା ପରିଲକ୍ଷିତ ହୋଇଛି ।