ମଧ୍ୟପ୍ରଦେଶରେ ରାଜନୈତିକ ହଲଚଲ ଜାରି । ଜୟପୁରରେ ୩ ନିର୍ଦ୍ଦଳୀୟଙ୍କ ସମେତ ୮୬ କଂଗ୍ରେସ ବିଧାୟକ । ଆଜି ଭୋପାଳ ଫେରିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସ୍ୱାଗତ ପାଇଁ ବିଜେପିର ବଡ ପ୍ରସ୍ତୁତି

420

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ରାଜନୈତକ ହଲଚଲ ଜାରି ରହିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ମିଶିବା ପରେ କମଳନାଥ ସରକାର ସଙ୍କଟ ବଢିଯାଇଛି । ବୁଧବାର ରାତିରେ କଂଗ୍ରେସର ଆଉ ୮ ବିଧାୟକ ରାଜସ୍ଥାନର ଜୟପୁରରେ ପହଂଚିଛନ୍ତି । କଂଗ୍ରେସ ବିଧାୟକଙ୍କ ସହ ୩ ନିର୍ଦ୍ଦଳୀୟ ବିଧାୟକ ବି ଉପସ୍ଥିତ ଅଛନ୍ତି । ସେପଟେ ବେଙ୍ଗାଲୁରୁରେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କୁ ମନେଇବା ପାଇଁ ଉଦ୍ୟମ ଜାରି ରହିଛି ।

ବିଜେପିରେ ସାମିଲ ହେବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଭୋପାଳ ଫେରୁଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେପି ବଡ ପ୍ରସ୍ତୁତି କରିଛି । ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ମିଶିବା ପରେ ମଧ୍ୟପ୍ରଦେଶର ରାଜନୈତିକ ଗଣିତ ବଦଳିଯାଇଛି । କଂଗ୍ରେସର ୧୧୪ ବିଧାୟକଙ୍କ ମଧ୍ୟରୁ ୨୨ ଜଣ ବିଧାୟକ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶର ରାଜନୈତିକ ସଙ୍କଟ ବଢିଯାଇଛି । ୪ ବିଧାୟକ ନିଖୋଜ ଅଛନ୍ତି ।

ଏଭଳି ସ୍ଥିତିରେ କଂଗ୍ରେସ ପାଖରେ ୮୮ ବିଧାୟକ ଅଛନ୍ତି । ବିଜେପି ନିକଟରେ ୧୦୭ ବିଧାୟକ ଅଛନ୍ତି । ବହୁମତ ପ୍ରମାଣ କରିବା ପାଇଁ ୧୧୫ ବିଧାୟକଙ୍କ ଆବଶ୍ୟକତା ରହିଛି । ଜୟପୁରରେ ବିଳାସପୂର୍ଣ୍ଣ ହୋଟେଲରେ କଂଗ୍ରେସର ବିଧାୟକ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣକର ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିବା ଜଣାପଡିଛି । କଂଗ୍ରେସକୁ ସମର୍ଥନ ଦେଉଥିବା ୨ ବିଏସପି ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇସାରିଛି । ତେବେ ବର୍ତମାନ ସ୍ଥିତି ଯାହା, ମଧ୍ୟପ୍ରଦେଶରେ କମଳନାଥ ସରକାର ଏକପ୍ରକାର ଅଳ୍ପମତକୁ ଆସିଯାଇଛି ।