ମାସ୍କ ପିନ୍ଧିବାକୁ ମନା କଲେ ମଧ୍ୟପ୍ରଦେଶର ଦୁଇ କଂଗ୍ରେସ ବିଧାୟକ । କହିଲେ, ଜରିମାନା ଦେବି ପଛେ କିନ୍ତୁ ମାସ୍କ ପିନ୍ଧିବିନି ।

99

କନକ ବ୍ୟୁରୋ: ଦେଶରେ ଏବେ ପୁଣି କରୋନା ଭୂତାଣୁ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି | ଆଉ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ମାସ୍କ ବ୍ୟବହାର ଉପରେ ପୁଣି ଜୋର ଦେଉଛନ୍ତି ବିଭିନ୍ନ ରାଜ୍ୟର ସରକାର | ଏହାରି ଭିତରେ ମଧ୍ୟପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ତେବେ ମଧ୍ୟପ୍ରଦେଶ ବିଧାନସଭାରେ ଦୁଇ ଜଣ ବିଧାୟକ ମାସ୍କ ନ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଥିଲା |

ଯେତେବେଳେ ତାଙ୍କୁ ମାସ୍କ ନ ପିନ୍ଧିବାର କାରଣ ବାବଦରେ ପଚରାଯାଇଥିଲା, ସେତେବେଳେ ସେମାନେ ଅଜବ ଉତ୍ତର ଦେଇଥିଲେ | ଏହି ଦୁଇ ଜଣ ବିଧାୟକ ହେଉଛନ୍ତି କଂଗ୍ରେସ ବିଧାୟକ ଗୋବିନ୍ଦ ସିଂ ଓ କଂଗ୍ରେସ ବିଧାୟକ ବାଜିନାଥ କୁଶବାହା | କଂଗ୍ରେସ ବିଧାୟକ ଗୋବିନ୍ଦ ସିଂ କହିଛନ୍ତି ଯେ,’ମୁଁ କେବେ ମାସ୍କ ବ୍ୟବହାର କରି ନାହିଁ ଏବଂ କରିବି ନାହିଁ। ଯଦି ମାସ୍କ ନ ପିନ୍ଧିଥିବାରୁ ଜରିମାନା ଦେବାକୁ ପଡେ, ତେବେ ଜରିମାନା ଅର୍ଥ ରାଶି ଦେଇଦେବି ପଛେ, ମାସ୍କ ପିନ୍ଧିବି ନାହିଁ | ସେହିପରି ବାଜିନାଥ କହିଥିଲେ ଯେ, ‘ମୁଁ ବାଜରା ରୁଟି ଖାଉଛି,କରୋନା ଭାଇରସ କୌଣସି ପ୍ରଭାବ ପକାଇପାରିବ ନାହିଁ | ମୁଁ କରୋନା ଭାଇରସକୁ ଡରେ ନାହିଁ | ଆଉ ମାସ୍କ ପିନ୍ଧିବା ଦ୍ୱାରା ଅସ୍ବସ୍ତି ଅନୁଭବ କରେ |

ସୂଚନା ଥାଉ ମଧ୍ୟପ୍ରଦେଶର ଏହି ଦୁଇ କଂଗ୍ରେସ ବିଧାୟକଙ୍କ ଭଳି ଓଡ଼ିଶାର ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ମାସ୍କ ପିନ୍ଧିବାକୁ ସେତେ ଗୁରୁତ୍ୱ ଦିଅନ୍ତି ନାହିଁ | ସୁର ଅନେକ ସମୟରେ କହନ୍ତି ଯେ, ‘କରୋନା ହେବା ଦିନରୁ ମୁଁ ମାସ୍କ ପିନ୍ଧିନାହିଁ, ପାଟିରେ ମାସ୍କ ପିନ୍ଧି ପିନ୍ଧି ରୋଗ ହୋଇଯିବ।’