ମୁଣ୍ଡ ଉପରେ ଦୁଇ ବଢ଼ିଲା ଝିଅଙ୍କ ଭାର : ଘର ଭାଙ୍ଗି ଭୁଲିଗଲା ପ୍ରଶାସନ, ଦୁଃଖ ଦରିଆରେ ଥଳକୂଳ ପାଉନାହାନ୍ତି କୁଚିଣ୍ଡାର ମାଦିନୀ ରେଡ୍ଡି 

330

କନକ ବ୍ୟୁରୋ : ଦୁଃଖ ଦେଇଗଲା ପ୍ରଶାସନ । ଘର ଭାଙ୍ଗିଦେଲା ସତ, ହେଲେ ଦୁଇ ବର୍ଷ ପରେ ବି ଥଇଥାନ୍ କଲାନି । ଭଙ୍ଗା ଦଦରା ଛାତ ତଳେ କାନ୍ଦିବୋବାଇ ରହୁଛନ୍ତି ଛଅ ପ୍ରାଣୀ କୁଟୁମ୍ବ । କେତେବେଳେ ଭଙ୍ଗା ସିମେଣ୍ଟ୍ ଖସୁଛି ଆଉ କେତେବେଳେ ପାଣି ଗଳୁଛି । ଭଙ୍ଗା ଘରେ ଘାସ ଉଠିଗଲାଣି । ବୋଝ ଉପରେ ନଳିତା ବିଡ଼ା ପରି ଦୁଇ ବଢ଼ିଲା ଝିଅଙ୍କ ଭାର ବଳେଇ ପଡ଼ୁଛି । କେତେବେଳେ ଅଘଟଣ ଘଟିବ କିଛି କହିହେବ ନାହିଁ । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର କୁଚିଣ୍ଡା ସହରରେ । ବସଷ୍ଟାଣ୍ଡ ଆଧୁନିକୀକରଣ କରିବା ନାଁରେ ମାଦିନୀ ରେଡ୍ନିକୁ ଅସହାୟ କରିଦେଲା ପ୍ରଶାସନ । ଥଇଥାନର ପ୍ରତିଶ୍ରୁତି ଦେଇ ୨ ବର୍ଷ ହେବ ଆଖିର ଲୁହ ଆଖିରେ ମରୁଛି ସତ ଶୁଣୁନି ପ୍ରଶାସନ ।

ଏହି ମହିଳାଙ୍କ ଲୁହ ବୟାନ କରୁଛି କିପରି ଦୁଃଖରେ କାଳ କାଟୁଛନ୍ତି ପୁରା ପରିବାର । ସ୍ୱାମୀ ବଂଚିଥିବା ସମୟରେ କୁଚିଣ୍ଡାର କୁଣ୍ଡାପୋଷି ବସ୍ତିରେ ପାଇ ପାଇ ଯୋଡ଼ି ଘରଟିଏ କରିଥିଲେ । ହେଲେ ବସଷ୍ଟାଣ୍ଟ ଆଧୁନୀକିରଣ ପାଇଁ ଘର ବସ୍ତି ଉଚ୍ଛେଦ କଲା ପ୍ରଶାସନ । ଆଉ ଏଥିରୁ ବାଦ୍ ପଡ଼ିଲାନି ମାଦିନୀଙ୍କ ଘର । ଜେସିପି ଲଗାଇ ଘର ଭାଙ୍ଗିଦେଲା ପ୍ରଶାସନ । ଆଖି ଆଗରେ ଭାଙ୍ଗିଗଲା ଅତି କଷ୍ଟରେ ତିଆରି ହୋଇଥିବା ଘର । ବେସାହାରା ହୋଇଗଲା ପୁରା ପରିବାର । ରାତି ସାରା ଗଛ ମୂଳେ ରହିବା ସହ ଥଇଥାନର ପ୍ରତିଶ୍ରୁତି ଦେଇ ପାଖରେ ଥିବା ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ ରହିବାକୁ କହି ଭୁଲିଗଲା ପ୍ରଶାସନ । ଆଉ ଘର କହିଲେ ଭଙ୍ଗା ଦଦରା ଛାତ । ଦୁଇ ବିବାହଯୋଗ୍ୟ ଝିଅ, ପୁଅବୋହୁ ଓ ନାତୁଣୀକୁ ନେଇ ଚାଲିଛି ପରିବର । ମାଦିନୀରେଡ୍ଡୀଙ୍କ ପରିବାରର ସମସ୍ତେ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ସକାଳ ହେଲେ ସମସ୍ତେ ଚାଲିଯାଆନ୍ତି ମୁଲ ଲାଗିବାକୁ । ଏପରି ସ୍ଥଳେ ଘରଟିଏ କରି ରହିବା ତାଙ୍କ ପାଇଁ ଅସମ୍ଭବ ହୋଇପଡିଛି । କେତେବେଳେ ବର୍ଷା ହେଲେ ପାଣି ଗଳୁଛି ତ ପୁଣି କେତେବେଳେ ଛାତରୁ ପ୍ଲାଷ୍ଟର ଖସୁଛି । ମୁଣ୍ଡ ଗୁଞ୍ଜିବାକୁ ଆଉ ରାହା ନମିଳିବାରୁ ବାଧ୍ୟ ହୋଇ ଏହି ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ପୁରା ପରିବାର ।

ଗରିବଗୁରୁବାଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ କେତେ ଯୋଜନା । ହେଲେ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଏବେ ମାଦିନୀ ରେଡ୍ଡି ଅସହାୟ । ଘର ଭାଙ୍ଗି ଦେଇ ଶୀତସୁପ୍ତିରେ ପ୍ରଶାସନ । ଘର ଖଣ୍ଡିଏ ପାଇଁ ପ୍ରଶାସନ ନିକଟକୁ ଦୌଡ଼ି ଦୌଡ଼ି ଚପଲ ଛିଣ୍ଡିଗଲାଣି ସତ ତାଙ୍କୁ ଦୁଃଖ ବୁଝିବାକୁ କେହି ନାହାନ୍ତି । ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ବସ୍ତି ସୁରକ୍ଷା ମଂଚର ସଂପାଦକ ।