ମା’ଙ୍କୁ ମେଲାଣି ଦେଉଛି ଦୈତନଗରୀ, ତୁହାକୁ ତୁହା ବର୍ଷା ଭିତରେ ଭସାଣି।

208

କନକ ବ୍ୟୁରୋ: ମାଆ ଦୁର୍ଗାଙ୍କୁ ମେଲାଣି ଦେଉଛି ଦୈତ ନଗରୀ । ଦୁଇବର୍ଷର କରୋନା କଟକଣା ପୂଜାର ମଜାକୁ ଫିକା କରିଦେଇଥିବା ବେଳେ ଏଥର ବେଶ ଜମିଛି ଦଶହରା । ଆଉ ଦୂର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ ଭସାଣ ଉତ୍ସବ ପାଇଁ ଉଠୁଛି ପଡୁଛି କଟକ-ଭୁବନେଶ୍ୱରା ତୁହାତୁ ତୁହା ବର୍ଷା ଭିତରେ ଚାଲିଛି ମେଢ ଶୋଭାଯାତ୍ରା । ପାରମ୍ପରିକ ବାଦ୍ୟର ତାଳେତାଳେ ମାଆଙ୍କ ମେଢ ଆଗରେ ନାଚିନାଚି ବିଦାୟ ଜଣାଉଛନ୍ତି ବିଭିନ୍ନ ପୂଜା କମିଟି । ଢୋଲ ବାଜା, ଘୋଡାନାଚ ଓ ଅତ୍ୟାଧୁନିକ ଡିଜେ ସାଉଣ୍ଡର ତାତଳରେ ଝୁମୁଛନ୍ତି ଯୁବଗୋଷ୍ଠୀ ।

ଭୁବନେଶ୍ୱରରେ ଭସାଣି ପାଇଁ ମହାନଗର ନିଗମ ପକ୍ଷରୁ ୪ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । କୁଆଖାଇ ନଦୀ ପଠାରେ ୨ଟି ଏବଂ ଟଙ୍କପାଣି ବାସୁଆ ଘାଇ ଓ ଦୟାନଦୀ କୂଳରେ ଗୋଟିଏ ଲେଖାଏଁ ପୋଖରୀ କରାଯାଇଛି । ନଦୀ ପ୍ରଦୂଷଣକୁ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ଅନୁସାରେ ଛୋଟବଡ ପ୍ରାୟ ୩୦୦ ମେଢର ବିସର୍ଜନ ବ୍ୟବସ୍ଥା କରାଯାଇଛି । ୬ ଫୁଟ ଗଭୀର ଓ ୧୫ ଫୁଟ ଓସାର ରହିଛି ପ୍ରତ୍ୟେକ ପୋଖରୀ । ବିଏମସି ପକ୍ଷରୁ ଯୋଗାଇ ଦିଆଯାଇଥିବା ଜେସିବି ସାହାଯ୍ୟରେ ଅସ୍ଥାୟୀ ପୋଖରୀରୁ ଅଳିଆକୁ କାଢି ସୈନିକ ସ୍କୁଲ ପାଖ ଟିସିଏସରେ ପକାଇବା ପାଇଁ ବନ୍ଦୋବସ୍ତ କରାଯାଇଛି ।

ଆକର୍ଷଣୀୟ ମେଢ ସାଙ୍ଗକୁ ଭସାଣିର ଚାକଚକ୍ୟରେ ଭୁବନେଶ୍ୱର ଆଗରେ ଥିଲେ ବି ପାରମ୍ପରିକତାକୁ ବଜାୟ ରଖିଛି କଟକ ସହର । ବର୍ଷାରୁ ସୁରକ୍ଷା ଦେବାପାଇଁ ମାଆଙ୍କ ମେଢକୁ ପଲିଥିନ ଘୋଡାଇ କରାଯାଇଛି ସହର ପରିକ୍ରମା । ବାଜା ବଜାଇ, ନାଚଗୀତରେ ମାଆଙ୍କୁ ମେଲାଣି ଦେଉଛନ୍ତି କଟକ ସହରବାସୀ । ବିଦାୟ ଉତ୍ସବକୁ ହର୍ଷ ଓ ଉଲ୍ଲାସର ଉତ୍ସବ ଭାବେ ପାଳନ କରାଯାଉଛି ।

କଟକ ଦେବୀଗଡାରେ ଏଥିପାଇଁ ୩ଟି କୃତ୍ରିମ ପୋଖରୀ କରାଯାଇଛି । ୬ଫୁଟ ଗଭୀର ଓ ୧୫ ଫୁଟ ଓସାର ବିରାଟ ଅସ୍ଥାୟୀ ପୋଖରୀରେ ମୋଟା ପଲିଥିନ ଦେଇ ପାଣି ଭର୍ତି କରାଯାଏ । ପାଣିକୁ ପ୍ରଦୂଷିତ ନକରିବା ପାଇଁ ମୂର୍ତିରୁ ଫୁଲ ଅନ୍ୟାନ୍ୟ ଜିନିଷ କାଢି ପାଣିରେ ପକାଇବାକୁ ନିୟମ ରହିଛି । ପୁରା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ମହାନଗର ନିଗମ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । କଟକରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ଦେଢଶହରୁ ଅଧିକ ମେଢକୁ ପର୍ଯ୍ୟାୟକ୍ରମେ କାଠଜୋଡିର ଦେବୀଗଡାରେ ବିସର୍ଜନ କରାଯାଉଛି ।