ପୁଣି ଚର୍ଚ୍ଚାରେ ଗୁଣୁପୁର ଯୁବତୀ ଏମ୍ ପାର୍ବତୀ: ସେବେ ପେପର ବ୍ରିକି କରି ଆସିଥିଲେ ସାମ୍ନାକୁ, ଏବେ ଚିକିତ୍ସା ପାଇଁ ସରକାରଙ୍କୁ କରୁଛନ୍ତି ଗୁହାରି  

104

କନକ ବ୍ୟୁରୋ: ଜୀବନ ଯୁଦ୍ଧର ଏକାକୀ ନାୟିକା ଏମ ପାର୍ବତୀ । ଅଧୁରା ହୋଇ ରହିଗଲା ସ୍ୱାବଲମ୍ବୀ ହେବାର ସ୍ୱପ୍ନ । ଅର୍ଥ ଅଭାବରୁ ପାଠ ପଢାରେ ଡୋରି ବନ୍ଧା ହୋଇଥିବା ବେଳେ ଏବେ ରୋଗ ଛଡେଇ ନେଇଛି ଜୀବିକା । ବାପା-ମାଆ ଆରପାରିକୁ ଚାଲିଯିବା ପରେ ପେଟକୁ ଦୁଇ ମୁଠା ଆହାର ଯୋଗାଇବା ପାଇଁ ସକାଳେ ଖବର କାଗଜ ବିକି କରୁଥିଲେ ଏମ୍.ପାର୍ବତୀ । ହେଲେ ଏବେ ତାଙ୍କୁ ବିଛଣାରେ ପକାଇ ଦେଇଛି ରୋଗ ।

ରାୟଗଡା ଗୁଣୁପୁର ପୌର ପରିଷଦ ଅଂଚଳର ୨୭ ବର୍ଷିୟ ଯୁବତୀ ଏମ୍.ପାର୍ବତୀ । ୨୦୦୫ରେ ବାପାଙ୍କ ମୃତ୍ୟୁ ପରେ ଷଷ୍ଠ ଶ୍ରେଣୀରୁ ପାଠ ଛାଡି କଅଁଳ କାନ୍ଧରେ ବୋହୁଥିଲେ ପରିବାରର ବୋଝ । ଝାଟିମାଟିର ଘରେ ମା’ ସୁରେଖା ଓ ପାର୍ବତୀ ଅତି କଷ୍ଟରେ ବଂଚୁଥିଲେ । ୨୦୧୭ରେ ପାର୍ବତୀଙ୍କୁ ଏକା କରି ଚାଲିଗଲେ ମାଆ । ବଂଚିବା ପାଇଁ ପଡୋଶୀଙ୍କ ଘରେ ଆଶ୍ରୟ ନେଇ ସବୁଦିନ ସକାଳୁ ୩ ଘଂଟା ଖବର କାଗଜ ବାଂଟୁଥିଲେ ପାର୍ବତୀ । ସେଥିରୁ ମିଳୁଥିବା ମାସିକ ପାରିଶ୍ରମିକରେ ପେଟ ପୋଶୁଥିଲେ । ଏବେ କିନ୍ତୁ ସେତକ ବି କରି ପାରୁନାହାନ୍ତି, ମଳଦ୍ୱାରରେ ହୋଇଥିବା ଘା’ ତାଙ୍କୁ ଘରେ ପକାଇ ଦେଇଛି । ସ୍ୱାବଲମ୍ବୀ ହେବାର ସ୍ୱପ୍ନରେ ଗ୍ରହଣ ଲାଗି ଯାଇଛି ।

ପାଖରେ ଖାଇବାରୁ ଟଙ୍କାଟିଏ ନଥିବା ବେଳେ ଚିକିତ୍ସା ଅବହେଳାରୁ ପାର୍ବତୀ ଏବେ ବେସାହାରା ହୋଇ ଏଇ ଭଙ୍ଗା ଘରେ ପଡି ରହିଛନ୍ତି । ଜୀବନ ମରଣ ଯୁଦ୍ଧରେ ସମ୍ପୂର୍ଣ ଏକା ହୋଇ ଯାଇଛନ୍ତି । ତଥାପି ଆଗକୁ ଯିବାର ଆଶା ତାଙ୍କ ମନରେ ରହିଛି । ସରକାରୀ ସହାୟତା ମିଳିଲେ ପାର୍ବତୀ ସୁସ୍ଥ ହୋଇ ଜୀବନ ଯୁଦ୍ଧରେ ଜିତିବେ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା ।

ଯନ୍ତ୍ରଣା ଓ ଜୀବନ ଯୁଦ୍ଧର ଏକାକୀ ନାୟିକା ସାଜି ଥିବା ଏମ ପାର୍ବତୀଙ୍କୁ ସରକାରୀ କିମ୍ବା ବେସରକାରୀ ସ୍ତରରେ ଚିକିତ୍ସା ଯୋଗାଇ ଦେବା ଜରୁରୀ ହୋଇପଡିଛି ।