କନକ ବ୍ୟୁରୋ : ଆପଣ ନିଜ ଜୀବନ କାଳରେ ଅନେକ ବହି ଦେଖିଥିବେ ଓ ଅନେକ ବହି ମଧ୍ୟ ପଢିଥିବେ । ହେଲେ ଥରେ ଭାବନ୍ତୁ ତ ଆପଣ କେବେ ୬ ଫୁଟ୍ ଲମ୍ବ ଓ ୫୪ କିଲୋ ଓଜନର କିଛି ବହି ଦେଖିଛନ୍ତି କି ? ଉତ୍ତର ନିଶ୍ଚିନ୍ତ ଭାବେ ନା, କାରଣ ଭାରତରେ କେବେ ବି ଏତେ ଲମ୍ବା ଓ ଏତେ ଓଜନର ବହି ଛପା ହୋଇ ନଥିଲା । ହେଲେ ଏବେ ଉତ୍ତର ପ୍ରଦେଶ ଲକ୍ଷ୍ନୌ ଠାରେ ଥିବା ବଳରାମପୁର ଗାର୍ଡେନରେ ଲାଗିଥିବା ୧୯ ତମ ରାଷ୍ଟ୍ରୟ ପୁସ୍ତକ ମେଳାରେ ଦେଖିବାକୁ ମିଳିଛି ଏଭଳି ବିରାଟକାୟ ପୁସ୍ତକ । ଏହି ପୁସ୍ତକର ନାମ ରହିଛି ‘ରାମ୍ ନାମ୍ ଏକ ଆସ୍ଥା କା ମନ୍ଦୀର’ । ଏହି ପୁସ୍ତକଟକୁ ଅପୁର୍ବ ଶାହା ନାମକ ଜଣେ ବ୍ୟକ୍ତି ରଚନା କରିଛନ୍ତି ।

Advertisment

ଅପୂର୍ବ ଶାହା କହିଛନ୍ତି କି, ଏବେ ପୁସ୍ତକ ପଢିବାର ସମୟ ବଦଳିଯାଇଛି । ଲୋକମାନେ ଡିଜିଟାଲ ମିଡିଆରେ ସବୁଠାରୁ ଅଧିକ ବ୍ୟସ୍ତ ରହୁଛନ୍ତି । ଏଣୁ ଲୋକଙ୍କୁ କିଭଳି ଭାବେ ପୁସ୍ତକ ପ୍ରତି ଆକର୍ଷିତ କରାଯାଇ ପାରିବ ସେନେଇ ସେ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୫୪ କେଜି ଓଜନ ଓ ୬ ଫୁଟ୍ ଉଚ୍ଚତାର ଏହି ପୁସ୍ତକ ମଧ୍ୟରେ କେବଳ ୩୬ ଟି ପୃଷ୍ଠା ରହିଛି ।

ଅପୂର୍ବ ଶାହା କହିଛନ୍ତି କି, ଏହି ପୁସ୍ତକ ବିକ୍ରି ପାଇଁ ପ୍ରସ୍ତୁତ କରାଯାଇ ନାହିଁ । କେବଳ ପୁସ୍ତକ ପ୍ରତି ପାଠକଙ୍କ ବଢୁଥିବା ଦୂରତାକୁ ସଂକୋଚିତ କରିବା ଓ ଲୋକଙ୍କ ଧ୍ୟାନ ବହି ପ୍ରତି ଆକର୍ଷିତ କରିବା ଲକ୍ଷ୍ୟରେ ଏଭଳି ପୁସ୍ତକୁ ଡିଜାଇନ କରାଯାଇଛି । ହେଲେ ମେଳାକୁ ଅଣାଯାଇଥିବା ବହିଟିର ଦାମ ୮୦ ହଜାର ଟଙ୍କା ବୋଲି ଲେଖାଯାଇଛି ।