ଆସନ୍ତାକାଲି ସକାଳେ ଅବପାତର ରୂପ ନେବ ଲଘୁଚାପ । ଉତ୍ତର-ପଶ୍ଚିମ ଦିଗରେ କରିବ ଗତି । ପ୍ରବଳ ବର୍ଷା ନେଇ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ।

147

କନକ ବ୍ୟୁରୋ: ଉତ୍ତର-ପୂର୍ବ ବଙ୍ଗୋପସାଗରେ କେନ୍ଦ୍ରୀଭୂତ ହୋଇଛି ଲଘୁଚାପ । ଏହା ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ୱେଲମାର୍କ ଲୋ-ପ୍ରେସର ଏରିୟାରେ ପରିଣତ ହେବ । କାଲି ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ତେବେ ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମବଙ୍ଗ ଉପକୂଳ ଏବଂ ଉତ୍ତର-ଓଡିଶା ଉପକୂଳରେ ଅତିକ୍ରମ କରିବ । କାଲି ଠାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ନିକଟରୁ ଉତ୍ତର ଓଡିଶା, ଝାଡଖଣ୍ଡ ହୋଇ ଛତିଶଗଡ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ଆଜି ସନ୍ଧ୍ୟା ପରେ ଉତ୍ତର ଓଡିଶା ଜିଲ୍ଲା ଗୁଡିକରେ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ୧୯ ତାରିଖରେ ସବୁଠାରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ହେବ । ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡିଶା ଜିଲ୍ଲା ଗୁଡିକରେ ଆସନ୍ତା କାଲି ସବୁଠାରୁ ଅଧିକ ବର୍ଷା ହେବ । ୨୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ୨୦ ତାରିଖ ସକାଳ ବେଳକୁ ଏହି ଅବପାତ ଝାଡଖଣ୍ଡ ନିକଟରେ ପହଁଚିବ । ଏହାର ପ୍ରଭାବ କେବଳ ଉତ୍ତର- ପଶ୍ଚିମ ଓଡିଶା ଉପରେ ଦେଖିବାକୁ ମିଳିବ । ତେଣୁ ଉତ୍ତର-ପଶ୍ଚିମ ଓଡିଶାରେ ୨୦ ତାରିଖରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କନକ ନ୍ୟୁଜରେ ପ୍ରତିକ୍ରିୟା ରଖି ଏଭଳି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।