ଆଜିଠୁ ୨ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

591

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଉତ୍ତର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ଅନ୍ୟ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ତେଣୁ ଜୁଲାଇ ୨୭ ତାରିଖ ଯାଏ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ବର୍ଷା ଖରିଫ ଫସଲ ପାଇଁ ଅଧିକ ସହାୟକ ହେବ ବୋଲି ଆଶା କରାଯାଉଛି । ବିଶେଷକରି ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ରାଜ୍ୟର ୧୯ ଜିଲ୍ଲା ମଧ୍ୟରୁ ବେଶ୍ କିଛି ଜିଲ୍ଲାରେ ଏହି ଲଘୁଚାପ ବର୍ଷା ଚାଷୀକୁଳ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଲଘୁଚାପ ପ୍ରଭାବରୁ ଶୁକ୍ରବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ। ୨୪ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, କୋରାପୁଟ, ବରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୫ ତାରିଖ ଦିନ ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ୨୬ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଣୁ ଆସନ୍ତା ୪ ଦିନ ପାଇଁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ୧ ଜୁନରୁ ୨୨ ଜୁଲାଇ ଯାଏ ଓଡ଼ିଶାରେ ୩୪୬.୩ମିମି ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୪୫୮.୬ ମିମି ବର୍ଷା ହୋଇଥାଏ । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ୨୪% କମ୍‌ ରହିଛି । ୧୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଯାଇଛି ।