ମୃତ ହିତାଧିକାରୀଙ୍କ ନାଁରେ ଭତ୍ତା ଟଙ୍କା ଲୁଟ । ହିତାଧିକାରୀଙ୍କ ମୃତ୍ୟୁ ପରେ ବି ଟିପ ଚିହ୍ନ ଦେଇ ଉଠିଛି ମାସ ମାସର ଭତ୍ତା

160

କନକ ବ୍ୟୁରୋ: ଭତ୍ତା ଯୋଗାଣରେ ମହାଘୋଟାଲା । ମୃତ ବ୍ୟକ୍ତିଙ୍କ ନାମରେ ହେଉଛି ସରକାରୀ ତହବିଲରୁ ହରିଲୁଟ୍ । ମୟୂରଭଞ୍ଜରୁ ଆସିଛି ଏମିତି ଅଭିଯୋଗ । କପ୍ତିପଦା ବ୍ଲକର ଏକ ପଞ୍ଚାୟତରେ ହିତାଧିକାରୀଙ୍କ ମୃତ୍ୟୁକୁ ମାସ ମାସ ବିତି ଯାଇଥିଲେ ବି ତାଙ୍କ ନାମରେ ଭତ୍ତା ଟଙ୍କା ଉଠି ଚାଲିଛି ।

ଜଣେ କି ଦୁଇ ଜଣ ନୁହେଁ ଅନେକ ମୃତ ହିତାଧିକାରୀଙ୍କ ନାଁରେ ଭତ୍ତା ଟଙ୍କା ଉଠୁଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଡ଼ଖଲାଡ଼ି ପଞ୍ଚାୟତରେ ହୋଇଛି ଏପରି ମହାଘୋଟଲା । ୨୦୧୯ ନଭେମ୍ବର ୧ରୁ ବଡ଼ଖଲାଡ଼ି ଗାଁର ସରସ୍ୱତୀ ବେହେରାଙ୍କ ମୃତ୍ୟୁ ହୋଇଥିବା ଆଇସିଡ଼ିଏସ୍ ପକ୍ଷରୁ ରିପୋର୍ଟ ଦିଆଯାଇଛି । ହେଲେ ତାଙ୍କ ମୃତ୍ୟୁ ପରେ ବି ସେ ଭତ୍ତା ନେଇଥିବା ସରକାରୀ କାଗଜପତ୍ରରେ କହୁଛି । ସରସ୍ୱତୀ ମାସକୁ ୭ ଶହ ଟଙ୍କା ଭତ୍ତା ପାଉଥିଲେ, ତାଙ୍କ ମୃତ୍ୟୁ ପରେ ବିଭାଗୀୟ ଅଧିକାରୀ ଭତ୍ତା ବହି ନେଇଯାଇଥିବା ତାଙ୍କ ବୋହୂ କହିଛନ୍ତି । ସେହିପରି ଗାଁର ଚାନ୍ଦମଣୀ ବେହେରା, ଶିବ ପ୍ରସାଦ ବେହେରାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ନାଁରେ ଭତ୍ତା ଟଙ୍କା ଉଠିଛି ।

ସେହିପରି ବଡ଼ଖଲାଡ଼ି ଗାଁର ଅଗଣୀ ଜେନା, ଫୁଲବାଡ଼ିଆ ଗାଁର ସରସ୍ୱତୀ ନାଏକ, ରମେଶ ନାଏକ ଏବଂ ସାନ ଖିଲାଡ଼ି ଗାଁର ଅନାମୀ ଗିରି, ଜଗବନ୍ଧୁ ଦେହୁରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଖଲାଡ଼ି ପଞ୍ଚାୟତରେ ୮ଟି ଗାଁରେ ପ୍ରାୟ ୪୦ରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ଚଳୁ କରାଯାଇଥିବା ତଥ୍ୟ କନକ ନ୍ୟୁଜ୍ ହାତରେ ଲାଗିଛି । ତେବେ ଏବାବଦରେ କପ୍ତିପଦା ବିଡ଼ିଓଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ତେବେ ଏଭଳି ଏକ ସାଘାଂତିକ ଘୋଟାଲା ବାବଦରେ ବିଡ଼ିଓ ପ୍ରତିକ୍ରିୟା ନ ଦେବା ପୂରା ଘଟଣାକୁ ଆହୁରି ବିବାଦୀୟ କରି ପକାଇଛି । ତେବେ ପ୍ରଶ୍ନ ଉଠିଛି ମୃତ ହିତାଧିକାରୀଙ୍କ ନାମରେ ଭତ୍ତା ଟଙ୍କା ନେଉଛି କିଏ ? ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀ ନାଁ ଆଉ କିଏ?