ଡାକ୍ତରଙ୍କ ଘରେ କଳା କନା ବୁଲାଇଲେ ଚାକରାଣୀ ! ୪୦ ଲକ୍ଷଟଙ୍କା ଲୁଟ କରି କିଣିଥିଲେ ଗହଣା

36

କନକ ବ୍ୟୁରୋ : ଡାକ୍ତରଙ୍କ ଘରେ କଳା କନା ବୁଲାଇଲେ ଚାକରାଣୀ ଓ ତାଙ୍କ ପୁଅ । ଆଉ ଡାକ୍ତର ନଥିବାବେଳେ ୪୦ ଲକ୍ଷ ଟଙ୍କା ଲୁଟିନେଲେ । ଅନ୍ୟପଟେ କୈାଣସି ବ୍ୟକ୍ତି ବିଷୟରେ କିଛି ନ ଜାଣି ତାକୁ ଘର କାମରେ ନିୟୋଜିତ କରିବା ମହଙ୍ଗା ପଡିଲା ବୋଲି କହିଛନ୍ତି ଚୋରୀର ଶିକାର ହୋଇଥିବା ଡାକ୍ତର । ତେବେ ପୋଲିସ ଏବେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୩୨ ଲକ୍ଷ ଚୋରି ଟଙ୍କା ମଧ୍ୟ ଉଦ୍ଧାର କରିଛି ।

ଶଶୀ ଭୂଷଣ ମେମୋରିଆଲ ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିବା ବିଭୂତି ଭୂଷଣ ନାୟକ ଘରେ ଘର କାମ କରିବା ପାଇଁ ୨ ଜଣଙ୍କୁ ନିୟୋଜିତ କରିଥିଲେ । ଗତ ଦୁଇ ମାସ ଧରି କାମ କରିବା ପରେ ଅକ୍ଷୟ ଏବଂ ପଦ୍ମାବତୀ ଡାକ୍ତରଙ୍କ ଘରେ କଳାକନା ବୁଲାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ଅନୁଯାୟୀ  ଘରେ ଆଲମିରାରେ ଥିବା ୪୦ ଲକ୍ଷ ଟଙ୍କାକୁ ଏମାନେ ଲୁଟ୍ କରିଥିଲେ । ତେବେ ଏତେ ବଡ ଚୋରୀ ପରେ ଡାକ୍ତର ଦମ୍ପତି କଟକ ସଦର ଥାନରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘର କାମ କରୁଥିବା ଅକ୍ଷୟ ଏବଂ ତାଙ୍କ ମା ପଦ୍ମାବତୀଙ୍କୁ ସନ୍ଦେହ ଘେରକୁ ନେଇଥିଲା ।

ପୋଲିସ ଘଟଣାର ତଦନ୍ତ କରିବା ସମୟରେ ସେଦିନର ଘଟଣାବଳୀ ସଂର୍ପକରେ ଅକ୍ଷୟ ଏବଂ ତାଙ୍କ ତାଙ୍କ ମା ଙ୍କୁ ପଚରା ଉଚୁରା କରିବା ସହ ସିସିଟିଭି ଫୁଟେଜ ମଧ୍ୟ ଯାଂଚ କରିଥିଲା । ଯାଂଚ ସମୟରେ ହିଁ ଜଣାପଡିଥିଲା କି ଆଲମିରାରେ ଥିବା ଲକ୍ଷାଧିକ ଟଙ୍କା ଏହି ଦୁଇ ଜଣ ହିଁ ଚୋରି କରିଛନ୍ତି । ତେବେ ଏହି ଟଙ୍କାରେ ସେମାନେ କିଛି ସୁନା ଗହଣା ମଧ୍ୟ କିଣି ସାରିଥିଲେ । ପରେ ପୋଲିସ ଏମାନଙ୍କ ଠାରୁ ଲୁଟ ଟଙ୍କା ଉଦ୍ଧାର କରିବା ସହ ଲୁଟ ଟଙ୍କାରେ କିଣିଥିବା ସୁନା ଗହଣା ମଧ୍ୟ ଜବତ କରିଛି ।