ମହିଳାଙ୍କ ବେକରୁ ଚେନ୍ ଛିଡାଇବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଦୁଇ ଲୁଟେରା : ଦ୍ରୁତଗତିରେ ବାଇକ୍ ଚଳାଇ ପିଟିହେଲେ, ଗୁରୁତର ଅବସ୍ଥାରେ ହସ୍ପିଟାଲ ଗଲେ

377

କନକ ବ୍ୟୁରୋ : ଚୋରି , ଛିନତାଇ ଓ ରାହାଜାନୀ ଭଳି ଅନେକ ଘଟଣା ଆପଣଙ୍କ ସାମନାକୁ ଆସୁଛି । ଏପରିକି ଚୋରି କରିବାକୁ ଆସିଥିବା ଚୋର ଲୋକଙ୍କ ହାତରେ ଧରାପଡି ନିର୍ଦ୍ଧୁମ ଛେଚା ଖାଇବାର ଖବର ମଧ୍ୟ ଦେଖିଛନ୍ତି । ହେଲେ ଚେନ୍ ଛିଡାଇବାକୁ ଯାଇ ଲୁଟେରା ଦୁର୍ଘଟଣାର ଶିକାର ହୋଇଥିବା କଥା କେବେ ଶୁଣିଛନ୍ତି କି ? ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଂଚଳରେ ଏପରି ଏକ ଘଟଣା ଘଟିଛି । ଚେନ୍ ଛିଡାଇବାକୁ ଯାଇ ଲୁଟେରା ଆମ୍ବୁଲାନ୍ସରେ ବୁହା ହୋଇ ଆସିଛନ୍ତି ହସ୍ପିଟାଲ । ମୁଣ୍ଡ,ହାତ, ଗୋଡ, ଦେହ ସବୁଠି ଲାଗିଛି ଆଘାତ ।

୧୬ ନମ୍ବର ଜାତୀୟ ରାଜପଥରେ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ପିଛା କରିଥିଲେ ଏହି ଦୁଇ ଲୁଟେରା । ଏକ ବାଇକରେ ସବାର ହୋଇ ଦୁଇ ଜଣ ଯାକ ଦୀର୍ଘ ସମୟ ଧରି ମହିଳାଙ୍କୁ ପିଛା କରିଥିଲେ । ବେକରେ ପିନ୍ଧିଥିବା ସୁନା ଚେନକୁ ଛଡାଇ ନେବା ପାଇଁ ଟାର୍ଗେଟ କରିଥିଲେ । ଆଉ ଶେଷରେ ଏଥିରେ ସଫଳ ମଧ୍ୟ ହେଲେ । ଚେନଟି ଛଡାଇ ନେବା ପରେ ମହିଳା ଜଣଙ୍କ ଖୁବ୍ ଜୋରରେ ପାଟି କରିବାରୁ ରାସ୍ତାରେ ଯାଉଥିବା ଲୋକେ ଦୁବୃର୍ତଙ୍କୁ ପିଛା କରିଥିଲେ । ଫଳରେ ଖୁବ୍ ଜୋରରେ ବାଇକ୍ ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲେ ଦୁଇ ଲୁଟେରା । ହେଲେ ଗାଡି ଉପରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଲୋକମାନେ ମହିଳାଙ୍କଠାରୁ ଲୁଟ୍ ହୋଇଥିବା ଚେନ୍ ଉଦ୍ଧାର କରିବା ସହ ଗୁରୁତର ଆହତ ଲୁଟେରାଙ୍କୁ ହସ୍ପିଟାଲରେ ଭର୍ତି କରିଥିଲେ । ଏହି ଦୁଇ ଲୁଟେରା ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି ।