ଡକାୟତଙ୍କ କବଜାରେ ଗୁରୁଣ୍ଡିଆ ରାସ୍ତା ! ପ୍ରସୂତିଙ୍କୁ ମଝି ରାସ୍ତାରେ ଅଟକାଇଲେ, ଟଙ୍କା ସହ ମୋବାଇଲେ ବି ଛଡାଇନେଲେ

ଡକାୟତମାନେ କେତେ ନିଷ୍ଠୁର ଗତକାଲି ଘଟିଥିବା ଏକ ଘଟଣାରୁ ଜଣାପଡ଼ିଛି

111
କନକ ବ୍ୟୁରୋ : ଡକାୟତମାନେ କେତେ ନିଷ୍ଠୁର ଗତକାଲି ଘଟିଥିବା ଏକ ଘଟଣାରୁ ଜଣାପଡ଼ିଛି। ସେମାନେ ଏକ ଆମ୍ବୁଲାନ୍ସକୁ ଅଟକାଇ ଲୁଟ୍ କରିଛନ୍ତି। ଆମ୍ବୁଲାନ୍ସରେ ଥିବା ଜଣେ ପ୍ରସୂତି ଛଟପଟ ହେଉଥିଲେ ମଧ୍ୟ ସେଥିରେ ତାଙ୍କର ସାମାନ୍ୟତମ ଦୟା ହୋଇନଥିଲା। ସୁନ୍ଦଗରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ନରେନ୍ଦ୍ର – କଲୁଙ୍ଗା ପୂର୍ତ୍ତବିଭାଗ ରାସ୍ତା ଏବେ ଡକାୟତଙ୍କ କବଜାରେ। ଗତକାଲି ରାତିରେ ଗୁରୁଣ୍ଡିଆ ମା’ ଗୃହରୁ ଜଣେ ଗର୍ଭବତୀ ମହିଳାଙ୍କୁ ଖୁଣ୍ଟଗାଁର ୧୦୮ ଆମ୍ବୁଲାନ୍ସରେ ରାଉରକେଲା ନିଆ ଯାଉଥିଲା। ରାତି ପ୍ରାୟ ୧୨ଟା ବେଳେ ଆମ୍ବୁଲାନ୍ସଟି ବେଣୁଆମ୍ ଅତିକ୍ରମ କରୁଥିବା ବେଳେ ରାସ୍ତାରେ ପଥର ପଡ଼ିଥିବା ଦେଖି ଚାଳକ ଗାଡି ଅଟକାଇଥିଲେ। ସେହି ଭିତରେ ଜଙ୍ଗଲ ଭିତରୁ ୪ ଜଣ ଡକାୟତ ବାହାରିଆସି ଆମ୍ବୁଲାନ୍ସ ଚାଳକ ଓ ରୋଗୀଙ୍କ ଆଟେଡାଣ୍ଟଙ୍କୁ ମାଡ଼ମାରି ଟଙ୍କା ମାଗିଥିଲେ।
ସରକାରୀ ହସ୍ପିଟାଲ ଯାଉଥିବାରୁ ସେମାନଙ୍କ ପାଖରେ ଟଙ୍କା ନ ଥିବା ଉଭୟ କହିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଚାଳକଙ୍କ ଠାରୁ ଡକାୟତମାନେ ଆମ୍ବୁଲାନ୍ସ ଚାବି ଏବଂ ସେମାନଙ୍କ ପାଖରେ ଥିବା ମୋଟ୍ ପ୍ରାୟ ୪/୫ଶହ ଟଙ୍କା ଓ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏସବୁ ଚାଲିଥିବା ସମୟରେ ପ୍ରସବ ଯନ୍ତ୍ରଣା ବଢିବାରୁ ମହିଳା ଜଣକ ଆମ୍ବୁଲାନ୍ସ ଭିତରେ ବିକଳରେ ଚିତ୍କାର କରୁଥିଲେ ବି ଡକାୟତଙ୍କ ପଥର ହୃଦୟ ତରଳି ନ ଥିଲା। ସେମାନେ ଆମ୍ବୁଲାନ୍ସ ଚାବି ନେଇ ପଳାଇଥିଲେ। ସେମାନେ ପଳାଇବା ପରେ ବି ମୋବାଇଲ୍ ବିନା ତୁରନ୍ତ କାହାରିକୁ ଖବର ପଠାଇବା ସମ୍ଭବ ନ ଥିଲା।
ତେଣୁ ଗର୍ଭବତୀଙ୍କୁ ଧରି ଆମ୍ବୁଲାନ୍ସ ସେହି ଜଙ୍ଗଲ ରାସ୍ତାରେ ପ୍ରାୟ ୪ ଘଣ୍ଟା ଅଟକି ରହିଲା। ମହିଳା ଜଣକ ଭୟଙ୍କର ଗର୍ଭ ଯନ୍ତ୍ରଣାରେ ଡହଳବିକଳ ହେଉଥିଲେ। ତେବେ ମହିଳାଙ୍କ ଚିତ୍କାର ଶୁଣି ନିକଟସ୍ଥ ଗ୍ରାମର କେତେଜଣ ଲୋକ ରାତି ପ୍ରାୟ ୪ଟା ବେଳେ ସେଠାରେ ପହଞ୍ଚି ବିରକେରାସ୍ଥିତ ୧୦୮ ଆମ୍ବୁଲାନ୍ସକୁ ଟେଲିଫୋନ୍ କରି ଡାକିଥିଲେ। ବିରକେରା ୧୦୮ ଗାଡି ମହିଳାଙ୍କୁ ନେଇ ରାଉରକେଲା ସରକାରୀ ହସ୍ପିଟାଲ୍ ଯାଇଥିଲା।