ଭାରତବନ୍ଦକୁ ନେଇ ସାରା ଦେଶରେ ପ୍ରଭାବ: ଆମ୍ ଆଦମୀ ପାର୍ଟିର ଅଭିଯୋଗ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୋଲିସ କରିଛି ନଜରବନ୍ଦୀ
କନକ ବ୍ୟୁରୋ : କୃଷି କାନୁନକୁ ବିରୋଧ କରି ସାରା ଦେଶର କୃଷକ ମାନେ ଆଜି ଭାରତ ବନ୍ଦ କରିଛନ୍ତି । ଏହାର ସମ୍ପୁର୍ଣ୍ଣ ପ୍ରଭାବ କିଛି ରାଜ୍ୟରେ ଦେଖିବାକୁ ମିଳିଛି । ଦିଲ୍ଲୀ, ହରିଆଣା, ପଞ୍ଜାବ,ପଶ୍ଚିମବଙ୍ଗ, କେରଳ ଓ ତ୍ରିପୁରାରେ ସମ୍ପୁର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ରାଜ୍ୟ ମାନଙ୍କରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଅନ୍ୟପଟେ କୃଷକ ମାନେ ସକାଳ ୬ ଟାରୁ ରେଳ, ବିମାନସେବା, ସରକାରୀ ଦପ୍ତର, ବସ୍ ଚଳାଚଳକୁ ସମ୍ପୁର୍ଣ୍ଣ ଠପ୍ କରିଦେଇଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ଆମ୍ ଆଦମୀ ପାର୍ଟି ଅଭିଯୋଗ ଆଣିଛି ଯେ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନଜରବନ୍ଦୀ କରିଛି । ଦଳର ନେତା ମାନେ ଅଭିଯୋଗ କରିଛନ୍ତି କି କେଜ୍ରିୱାଲ ସିଙ୍ଘୁ ସୀମାରେ କୃଷକଙ୍କୁ ଭେଟି ଫେରିବା ପରେ ପୋଲିସ ତାଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିଛି । ତାଙ୍କୁ ବାହାରକୁ ବାହାରିବାର ସୁଯୋଗ ଦେଉନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ କୃଷକ ମାନେ ଦିନ ୧୧ ଟାରୁ ଅପରାହ୍ନ ୩ ଟା ଯାଏ ସମ୍ପୁର୍ଣ୍ଣ ଚକା ଜାମ୍ ଡାକରା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟସରକାର ସର୍ତ୍ତକତା ଅବଲମ୍ବନ କରିଛନ୍ତି । ଆନ୍ଦୋଳନକାରୀ ମାନେ ଯେଭଳି ହିଂସା କରିବାର ସୁଯୋଗ ନପାଆନ୍ତି ତାହା ଉପରେ ନଜର ରଖିଛି ପୋଲିସ । କେତକ ରାଜ୍ୟରେ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଅନୁଷ୍ଠାନକୁ ବନ୍ଦ ରଖିବା ସହ ସରକାରୀ ବସ୍ ଚଳାଚଳକୁ ବନ୍ଦ କରିଛନ୍ତି । ପ୍ରତି ଟ୍ରାଫିକ୍ ରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଏହି ଆନ୍ଦୋଳନକୁ କଂଗ୍ରେସ ଓ ବାମପନ୍ଥୀ ଦଳ ମାନଙ୍କ ସହ ୧୧ ଟି ରାଜନୈତିକ ଦଳ ସମର୍ଥନ କରିଥିବା ବେଳେ ୧୬ ଟି ଶ୍ରମିକ ସଂଗଠନ ସମର୍ଥନ ଜଣାଇଛନ୍ତି ।
ବିଶେଷ ଭାବେ କଂଗ୍ରେସ ଓ ବାମଦଳର ସମର୍ଥକ ମାନେ ରାସ୍ତାରେ ପ୍ଲାକାର୍ଡ ଧରି ଆନ୍ଦୋଳନକୁ ଉହ୍ଲାଇଥିବା ଦେଖିବାକୁ ମିଳିଛି । କହିରଖୁ କି ଆସନ୍ତା କାଲି ୯ ତାରିଖରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ୬ଷ୍ଠ ପର୍ଯ୍ୟାୟ ଆଲୋଚନା ହେବାକୁ ଧାର୍ଯ୍ୟ କରାଯାଇଛି । ହେଲେ ୫ ଥର ଆଲୋଚନା ସରିଥିଲେ ବି ସରକାର କୃଷି କାନୁନର ସଂଶୋଧନ କରିବାକୁ ରାଜି ହୋଇଥିବା ବେଳେ କୃଷକ ମାନେ କିନ୍ତୁ ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ।